ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ ବେଳେ ଭବ୍ୟ ସ୍ଵାଗତ ଘଟଣାକୁ ନିନ୍ଦା କଲେ ଦେବେନ୍ଦ୍ର ଫଡ଼ନାଭିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟର ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀ କ୍ଷମା ନୀତି ବଳରେ ଜେଲରୁ ଖଲାସ ହେବା ପରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ୱାଗତ କରାଗଲା, ତା’କୁ ଖୋଦ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସମାଲୋଚନା କରିଛନ୍ତି। ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ।ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲ ମାଳ ଓ ମିଠା ଦେଇ ସ୍ୱାଗତ କରାଯାଇଥିଲା। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ସେହିପରି ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ନେଇ ବିବାଦ ଚାଲିଥିବା ବେଳେ ମଙ୍ଗଳବାର ଫଡନାଭିସ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ବାନ୍ଦ୍ରାରେ ଘଟିଥିବା ଦୁଷ୍କର୍ମ ଘଟଣାର ବିତର୍କ ଚାଲିଥିବା ବେଳେ ବିଲକିସ୍‌ ବାନୋ ମାମଲା ଉଠିଥିଲା। ଏହା ଉପରେ ମତ ରଖି ଫଡନାଭିସ କହିଥିଲେ ଯେ ଗୃହରେ ବିଲକିସ ବାନୋଙ୍କ ଘଟଣା ଉଠାଇବାର କୌଣସି କାରଣ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୦୨ ମସିହା ଗୁଜରାଟର ବିଲକିସ ବାନୋ ଘଟଣାରେ ଦୋଷୀମାନଙ୍କୁ ମୁକ୍ତ କରାଯାଇଛି। ସେମାନେ ପ୍ରାୟ ୨୦ ବର୍ଷ ଜେଲରେ ରହିଥିଲେ। କିନ୍ତୁ ଅପରାଧିକ ମାମଲାରେ ଖଲାସ ହୋଇଥିବା ଅଭିଯୁକ୍ତଙ୍କୁ ଭବ୍ୟ ସ୍ୱାଗତ କରିବା ସଂପୂର୍ଣ୍ଣ ଭୁଲ। ଏପରି ଆଚରଣ ପାଇଁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଠିକ ନୁହେଁ। ଜଣେ ଅଭିଯୁକ୍ତ ସବୁବେଳେ ଅଭିଯୁକ୍ତ। ସେଭଳି ଲୋକଙ୍କୁ ସ୍ୱାଗତ କରିବାର କାରଣ କିଛି ବି ନାହିଁ। ଏହା ସଂପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି।

Related Posts