ବିହାର ବିଧାନସଭାରେ ଅସ୍ଥା ଭୋଟ ପୂର୍ବରୁ ବରିଷ୍ଠ ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପିର ହାତ ଛାଡ଼ି ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି ନୀତୀଶ କୁମାର । ଆଜି ନୂଆ ଗଠନ ହୋଇଥିବା ବିହାର ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ଆଜି ବିହାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଆରଜେଡି ଓ କଂଗ୍ରେସ ସମେତ ପ୍ରାୟ ୧୬୫ ଜଣ ବିଧାୟକ ନୀତୀଶ କୁମାରଙ୍କୁ ସମର୍ଥନ କରୁଥିବା ତାଙ୍କ ଦଳ ଜେଡିୟୁ ଦାବି କରିଛି। ତେଣୁ ନୀତୀଶ କୁମାର ବେଶ ସହଜରେ ଆସ୍ଥା ଭୋଟରେ ଜିତିବେ ବୋଲି କୁହାଯାଉଛି। କିନ୍ତୁ ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଆକ୍ସନ ମୋଡରୁ ଆସିଛି ସିବିଆଇ। ଆଜି ସକାଳୁ ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଦୁଇ ବରିଷ୍ଠ ନେତାଙ୍କ ଘରେ ସିବିଆଇ ଟିମ୍‌ ଏକାକାଳୀନ ରେଡ କରିଛି। ଲାଲୁ ପ୍ରସାଦ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ପାଇଁ ଜମି ଦୁର୍ନୀତି ଘଟିଥିଲା। ଏହି ଘଟଣାରେ ଆଜି ସିବିଆଇ ରେଡ କରିଥିବା ସୂଚନା ମିଳିଛି।

ତେବେ ଆଜି ସକାଳୁ ସିବିଆଇ ଟିମ୍‌ ଆରଜେଡିର ରାଜ୍ୟସଭା ସାଂସଦ ଅହମଦ ଅସଫାକ କରିମ ଓ ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ପହଞ୍ଚିଛି। ଉଭୟ ନେତାଙ୍କ ଘର ଓ ବିଭିନ୍ନ ଠିକଣାରେ ସକାଳୁ ରେଡ ଆରମ୍ଭ କରାଯାଇଛି।

ରେଡ୍‌ ସମ୍ପର୍କରେ ସୁନୀଲ ସିଂହ ପ୍ରତିକ୍ରିୟା ରଖି କହିଛନ୍ତି, “ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢ଼ଉ କରାଯାଇଛି। ଏହାର କୌଣସି ମୂଲ୍ୟନାହିଁ। ସେମାନେ ଭାବୁଛନ୍ତି ଯେ ସିବିଆଇ ଭୟରେ ଆମ ବିଧାୟକମାନେ ତାଙ୍କ(ବିଜେପି) ସହ ସାମିଲ ହୋଇଯିବେ। କିନ୍ତୁ ସେମିତି କିଛି ହେବାର ନାହିଁ।”

ତେବେ ମଙ୍ଗଳବାର ରାତିରେ ସିବିଆଇ ଓ ଅନ୍ୟ କେନ୍ଦ୍ରୀୟ ଟିମ୍‌ ବିହାରର ବିଧାୟକମାନଙ୍କ ଘରେ ରେଡ୍‌ କରିବାକୁ ଯୋଜନା କରୁଥିବା ଆରଜେଡିର ଜଣେ ମୁଖପାତ୍ର ଟ୍ୱିଟ କରିଥିଲେ। ସେ କହିଥିଲେ, “ବିଜେପିର ସହଯୋଗୀ ସିବିଆଇ, ଇଡି, ଆଇଟି ଭଳି ସଂସ୍ଥା ଖୁବଶୀଘ୍ର ବିହାରରେ ରେଡ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଟନାରେ ସେମାନଙ୍କର ମେଳି ବସିଲାଣି। ତେଣୁ ଆସନ୍ତାକାଲି(ବୁଧବାର) ବେଶ ଗୁରୁତ୍ୱପୂର୍ଣ୍ଣ।” ସେ ଗତକାଲି ରାତିରେ କରିଥିବା ବେଳେ ଆଜି ସକାଳୁ ସିବିଆଇ ଆରଜେଡିର ଦୁଇ ନେତାଙ୍କ ଘରେ ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ଘଟଣାରେ ରେଡ କରିଛି।

ସୂଚନା ଅନୁସାରେ ୨୦୦୪ ରୁ ୨୦୦୯ ମଧ୍ୟରେ ରେଳବାଇରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ତେଣୁ ଚଳିତ ବର୍ଷ ମେ’ ମାସରେ ଲାଲୁ ଓ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ରେଳବାଇ ଚାକିରିରେ କରାଇ ଦେବା ବଦଳରେ ଲାଲୁ ଓ ତାଙ୍କ ପରିବାର ଲୋକ ବିଭିନ୍ନ ଜମି ଓ ସମ୍ପତ୍ତି ଲାଞ୍ଚ ଆକାରରେ ଗ୍ରହଣ କରିଥିଲେ ବୋଲି ସିବିଆଇ କହିଥିଲା। ଏଥିସହ ଲାଲୁଙ୍କ ଘରେ ରେଡ ମଧ୍ୟ କରିଥିଲା।

Related Posts