ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ହତ୍ୟା ଧମକ ପାଇବା ପରେ ଗତକାଲି ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ୍‌ ଖାଁଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତେବେ ଏହାର କିଛି ସମୟ ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଅମୃତା ଫଡ଼ନବୀସଙ୍କୁ ମଧ୍ୟ ସମାନ ୱାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି।

ତେବେ ଅମୃତାଙ୍କୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ହତ୍ୟା ଧମକ ଦିଆଯାଇଥିଲା। ତାଙ୍କୁ ଦିଆ ଯାଇଥିବା ହତ୍ୟା ଧମକ ବିଶ୍ଳେଷଣ କରିବା ପରେ ମହାରାଷ୍ଟ୍ରର ପୁଲିସର ସୁରକ୍ଷା ଏବଂ ନିରାପତ୍ତା ଶାଖା ଉପରୋକ୍ତ ନି‌ଷ୍ପତ୍ତି ଗ୍ରହଣ କରିଛି।

ଏହା ପୂର୍ବରୁ ଅଭିନେତା ସଲ୍‌ମାନ ଖାଁଙ୍କ ନିରାପତ୍ତା ବ୍ୟବସ୍ଥା ‘ଏକ୍ସ୍‌’ ରୁ ‘ୱାଇ ପ୍ଲସ୍‌’କୁ ବୃଦ୍ଧି କରାଯାଇଥିଲା। ଏହି ସୁରକ୍ଷା ବ୍ୟବସ୍ଥା ଅନୁସାରେ, ସଦାସର୍ବଦା ୨ଜଣ ସଶସ୍ତ୍ର ପ୍ରହରୀ ତାଙ୍କ ସହିତ ରହିବେ। ଏହାଛଡ଼ା, ଅହର୍ନିଶ ତାଙ୍କ ବାସଭବନ ପରିସରରେ ଆଉ ୨ଜଣ ପ୍ରହରୀ ରହିବେ।

କିଛି ମାସ ତଳେ ମୁମ୍ବାଇ ପୁଲିସ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ବ୍ୟକ୍ତିଗତ ଅସ୍ତ୍ର ରଖିବା ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରିଥିଲେ। ଏଥିପାଇଁ ଅବଶ୍ୟ ସଲ୍‌ମାନ ଆବେଦନ କରିବା ସହ ମୁମ୍ବାଇ ପୁଲିସ କମିସନର୍‌ ବିବେକ ଫାନ୍‌ସଲ୍‌କର୍‌ଙ୍କୁ ଭେଟିଥିଲେ। ଜନଗହଳିର ସମ୍ମୁଖୀନ ହେବା ସହ ହତ୍ୟା ଧମକ ଚିହ୍ନଟ କରିବା ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ଉକ୍ତ ପ୍ରହରୀମାନେ ତାଲିମ ପାଇ ଥାଆନ୍ତି। ‘ସିକ୍ୟୁରିଟି ରିଭ୍ୟୁ କମିଟି’ର ନେତୃତ୍ବ ନେଉଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ଏହି ‘ୱାଇ ପ୍ଲସ୍‌’ ସୁରକ୍ଷା ପ୍ରଦାନ ବ୍ୟବସ୍ଥାକୁ ମଞ୍ଜୁରି ଦେଇଛନ୍ତି।