
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ କିଛିଦିନ ପୂର୍ବରୁ ସରକାରରେ ଥିବା ମହା ବିକାଶ ଅଘାଡ଼ି (ଏମଭିଏ)ରେ ଥିବା ଶିବସେନା, ଏନସିପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ରାଜ୍ୟରେ କ୍ଷମତାରେ ଥିବା ବେଳେ ଏମଭିଏ ସରକାର ଗତ ଅଢେ଼ଇ ବର୍ଷ ମଧ୍ୟରେ ମୋ ରାଜନୈତିକ କ୍ୟାରିୟରକୁ ଶେଷ କରିଦେବାକୁ ବସିଥିଲା ବୋଲି ଫଡନାଭିସ ଅଭିଯୋଗ କରିଛନ୍ତି।ଏଥିସହ ଶତ ଚେଷ୍ଟା ସତ୍ତ୍ୱେ ସେମାନଙ୍କ ଯୋଜନା ସଫଳ ହୋଇ ପାରି ନାହିଁ। କପାଳରେ ଲେଖାଯାଇଥିବା ଭାଗ୍ୟ ରେଖାକୁ କେହି ବି ବଦଳାଇ ପାରିବେ ନାହିଁ ବୋଲି ଫଡନାଭିସ କହିଛନ୍ତି।
ନାଗପୁରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଫଡନାଭିସ କହିଛନ୍ତି ଯେ “ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ସଂପୂର୍ଣ୍ଣ ଭାବେ ତାଙ୍କ ନିରାଶା ଭାବକୁ ଦର୍ଶାଉଛି।”
ବୁଧବାର ଗୋରେଗାଓଁରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ବେଳେ ଉଦ୍ଧବ ଠାକରେ କହିଥିଲେ ଯେ ଆସନ୍ତା ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ (ବିଏମସି) ନିର୍ବାଚନ ପଡନାଭିସଙ୍କ ଶେଷ ନିର୍ବାଚନ ହେବ। ଏ ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏଥିସହ ବିଜେପିକୁ ଟାର୍ଗେଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମାସକ ମଧ୍ୟରେ ବିଏମସି ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆୟୋଜନ କରିବାର ଚ୍ୟାଲେଞ୍ଜ ଦେଇଥିଲେ ଉଦ୍ଧବ। ଯଦି ସାହାସ ଅଛି, ତା’ହେଲେ ଅମିତ ଶାହ ନିର୍ବାଚନ କରି ଦେଖାନ୍ତୁ ବୋଲି ସେ କହିଥିଲେ।
ଏହାକୁ କାଉଣ୍ଟର କରି ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, “ଆପଣ(ଉଦ୍ଧବ ଠାକରେ) ୨୦୧୯ ବିଧାନସଭା ନିର୍ବାଚନ ଆମ ସହ ମିଶି ଲଢ଼ିଥିଲେ। ଭୋଟ ପାଇଁ ଆପଣ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ନିର୍ବାଚନ ଜିତିବା ପରେ ଆପଣ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହାତ ମିଳାଇଥିଲେ। ଆପଣ ଯଦି କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିବାକୁ ଚାହୁଁଥିଲେ, ତା’ହେଲେ ଇସ୍ତଫା ଦେଇ ପୁଣି ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରି ଥାଆନ୍ତେ। କିନ୍ତୁ ଆପଣ ସେମିତି କିଛି କରି ନଥିଲେ। ଆମ ଇସ୍ତଫାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। କାରଣ ନିର୍ବାଚନ ବେଳେ ଆମକୁ ଲୋକମାନେ ସରକାର ଗଠନ ପାଇଁ ବହୁମତ ଦେଇଥିଲେ।”