ବାରମ୍ବାର ତ୍ରୁଟି ଦେଖାଯିବା ପରେ ସ୍ପାଇସ ଜେଟ୍ ଉପରେ କଟକଣା ଲଗାଇଲା ଡିଜିସିଏ, ୨ମାସ ପାଇଁ ଉଡ଼ିବନି କମ୍ପାନୀର ଅଧା ବିମାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଦୁଇ ମାସ ପାଇଁ କଟକଣା ଲଗାଯାଇଛି । କମ୍ପାନିର ନିରାପତ୍ତା ମାନଦଣ୍ଡରେ ଅବନତି ଦେଖାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଏପ୍ରିଲ ୧ରୁ ଜୁଲାଇ ୫ ମଧ୍ୟରେ ସ୍ପାଇସ ଜେଟ ବିମାନରେ ବାରମ୍ବାର ତ୍ରୁଟି ଦେଖାଯିବା ପରେ ତାହାକୁ ନେଇ ଯାତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଗତ ୧ ମାସ ମଧ୍ୟରେ ଏହି କମ୍ପାନିର ଫ୍ଲାଇଟଗୁଡ଼ିକର ୯ ଥର ତ୍ରୁଟି ଦେଖାଯାଇଥିଲା ।ଗତ ଜୁନ ମାସ ୧୯ ତାରିଖରେ ପାଟନାରୁ ଦିଲ୍ଲୀଯାଉଥିବା ଏକ ବିମାନର ଏକ ଡେଣାରେ ନିଆଁ ଲାଗିଯିବାରୁ ତାହାର ଜରୁରୀକାଳୀନ ଅବତରଣ କରାଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡେ଼ଇଦିଆଯାଇଥିଲା । ସେହିପରି ଜୁଲାଇ ୫ରେ ମୁମ୍ବାଇଠାରେ ସ୍ପାଇସଜେଟର ଏକ ବିମାନର ଆଗ କାଚ ଫାଟିଯାଇଥିଲା ।ଗତ ବର୍ଷ ଅକ୍ଟୋବର ମାସରେ ବି ଏହି କମ୍ପାନି ଉପରେ ୧ ମାସ ପାଇଁ କଟକଣା ଲଗାଯାଇଥିଲା । ବିମାନରେ ଲିଥିଅମ ଆୟନ ବ୍ୟାଟେରୀ ପରି କେତେକ ବିପଜ୍ଜନକ ସାମଗ୍ରୀ ପରିବହନ ପାଇଁ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଡିଜିସିଏ ।

Related Posts