ପୁଣି ସ୍ପାଇସଜେଟ୍ ବିମାନରେ ତ୍ରୁଟି; କ୍ୟାବିନରେ ଧୂଆଁ ଭରିଯିବା ପରେ ହାଇଦ୍ରାବାଦରେ କଲା ଜରୁରୀକାଳୀନ ଅବତରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ପାଇସଜେଟ୍ ବିମାନରେ ପୁଣି ତ୍ରୁଟି ଦେଖିବାକୁ ମିଳିଛି। ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ଗୋଆ-ହାଇଦ୍ରାବାଦ ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିଲା । ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ ଜେନେରାଲ୍ (ଡିଜିସିଏ) ଘଟଣାର ତଦନ୍ତ କରୁଛି ବୋଲି ଅଧିକାରୀ କହିଛନ୍ତି।ଜଣେ ଡିଜିସିଏ ଅଧିକାରୀଙ୍କ ଅନୁଯାୟୀ ବିମାନଟି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ଫାଟକ ଦ୍ଵାରା ବାହାରକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ହାଇଦ୍ରାବାଦ ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ Q400 VT-SQB ବିମାନରେ ପ୍ରାୟ ୮୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଉକ୍ତ ବିମାନର ଜରୁରୀ ଅବତରଣ ହେତୁ ବୁଧବାର ନଅଟି ବିମାନକୁ ଡାଇଭର୍ଟ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଗୁରୁବାର ଦିନ ଡିଜିସିଏର ଜଣେ ଅଧିକାରୀ କହିଛନ୍ତି ଯେ ବିମାନ ଚଳାଚଳ ନିୟନ୍ତ୍ରକ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ବିମାନଟି ଗୋଆରୁ ରାତି ୯.୫୫ରେ ଉଡାଣ ଭରିଥିଲା ଓ ରାତି ୧୧.୩୦ ରେ ହାଇଦ୍ରାବାଦରେ ଅବତରଣ କରିବାର ଠିକ୍ ପୂର୍ବରୁ ପାଇଲଟ୍ କକ୍ପିଟ୍ ରେ ଧୂଆଁ ଦେଖିଲେ। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ​​ଓ ଧୂଆଁ ଯୋଗୁଁ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଜରୁରୀକାଳୀନ ଅବତରଣ ହେତୁ ନଅଟି ବିମାନକୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବାକୁ ପଡିଥିଲା ବୋଲି ସୂଚନା ମିଳିଛି।

Related Posts