ସ୍ପାଇସ୍‌ଜେଟ୍‌ ଉପରୁ ହଟିଲା କଟକଣା, ଏଣିକି ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡିବ ବିମାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍‌ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି କେନ୍ଦ୍ର ସରକାର । ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ବାରମ୍ବାର ବିମାନରେ ସମସ୍ୟା ଦେଖାଦେବା କାରଣରୁ କମ୍ପାନୀ ଉପରେ ବିଭିନ୍ନ କଟକଣା ଲଗାଯାଇଥିଲା। ଏପରିକି ଗାଇଡଲାଇନ୍‌ ପାଳନ କରୁନଥିବାରୁ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ବିମାନ ଚଳାଚଳ କରିବା ନିର୍ଦ୍ଦେଶ ଦେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ତେବେ ଶୁକ୍ରବାର ସ୍ପାଇସଜେଟ୍‌ ଉପରୁ କଟକଣା ହଟାଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ)।

ସ୍ପାଇସଜେଟ୍‌ ଉପରୁ କଟକଣା ହଟିବା ପରେ ଆସନ୍ତା ଅକ୍ଟୋବର ୩୦ରୁ କମ୍ପାନୀର ସମସ୍ତ ବିମାନ ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ । ଗତ ଜୁଲାଇ ମାସ ଠାରୁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ପାଇସଜେଟ୍‌ ଏୟାର ଲାଇନ୍ସ ଉପରେ କଟକଣା ଲାଗୁ କରାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷାରେ ବାରମ୍ବାର ତ୍ରୁଟି ଏବଂ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍‌ରେ ବାରମ୍ବାର ବିଚ୍ୟୁତି କାରଣରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ସ୍ପାଇସଜେଟ୍‌ ଏୟାରଲାଇନ୍ସ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିବା ସହ ୫୦ ପ୍ରତିଶତ କ୍ଷମତାରେ ଯାତ୍ରୀ ପରିବହନ କରିବାକୁ ଅନୁମତି ମିଳିଥିଲା । ସେପ୍ଟେମ୍ବର ୩୧ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍‌ ଅନୁଯାୟୀ ବିମାନ ଚଳାଚଳ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅବଧିକୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ବାରମ୍ବାର ସ୍ପାଇସଜେଟ୍‌ ବିମାନ ଗୁଡିକରେ ଯାନ୍ତ୍ରୀକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଗୋଟିଏ ମାସରେ ୮ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା ସ୍ପାଇସଜେଟ୍‌ ବିମାନ । ଯାହାକୁ ନେଇ ତତ୍ପର ହୋଇଉଠିବା ସହିତ କାର୍ଯ୍ୟନୁଷ୍ଠାନ ସ୍ବରୂପ ସ୍ପାଇସଜେଟ୍‌ ଉପରେ ବିଭିନ୍ନ କଟକଣା ଲଗାଇଥିଲେ କେନ୍ଦ୍ର ସରକାର

Related Posts