ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପିନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେଡିର ବିଦ୍ରୋହୀ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉପନିର୍ବାଚନ ପୂର୍ବରୁ ଧାମନଗର ବିଜେଡିରେ ରାଜୁଙ୍କ ବିଦ୍ରୋହ ଓ ଦଳୀୟ କନ୍ଦଳ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।ଚର୍ଚ୍ଚା ହେଉଛି ଯେ ରାଜୁଙ୍କ ବିଦ୍ରୋହ ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ।

ଅନ୍ୟପଟେ ରାଜୁ ଦାସଙ୍କ ନାମାଙ୍କନ ବିଜେଡି ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଦଳର ବରିଷ୍ଠ ନେତା ମତ ଦେଇଛନ୍ତି । ଯାହା ଧାମନଗର ରାଜନୀତିକୁ ଏବେ ରୋଚକ କରିଛି । ତେବେ ଦଳ ପକ୍ଷରୁ ତାଙ୍କୁ ବୁଝାଇବା ପାଇଁ ପ୍ରୟାସ ହୋଇଥିଲେ ମଧ୍ୟ, ସେଥିରେ ସଫଳତା ମିଳିନାହିଁ । କୌଣସି ପରିସ୍ଥିତିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ରାଜୁ ଖୋଲାଖୋଲି କହି ଦେଇଛନ୍ତି। ଦଳ ବହିଷ୍କାର କଲେ, ଏହା ତାଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ସେ କହିଛନ୍ତି । ଦଳୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ରାଜୁ ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣାକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ କାହାକୁ ହରାଇବାକୁ ନୁହେଁ ବରଂ ଲୋକଙ୍କ ପାଇଁ ଛିଡ଼ା ହୋଇଛି । ମାଟି ମା’ର ଶକ୍ତି କ୍ଷେତ୍ରରେ କୌଣସି ଶକ୍ତି କାମ କରେ ନାହିଁ । ସବୁବେଳେ ମୁଁ ଲୋକଙ୍କ ସାଥୀରେ ଅଛି । ଆଉ ଲୋକଙ୍କ ଆଶୀର୍ବାଦ ମଧ୍ୟ ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି ।

ସେପଟେ ଧାମନଗର ଉପନିର୍ବାଚନ ପାଇଁ ମୋଟ ୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ପ୍ରାର୍ଥପତ୍ର ଦାଖଲ କରିଥିଲେ । ସେହିପରି ପବିତ୍ର ମୋହନ ଦାସ ଓ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭନାରାୟଣ ସେଠୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେପଟେ ଗତକାଲି ବିଜେଡି ପକ୍ଷରୁ ଅବନ୍ତୀ ଦାସ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ରାଜେନ୍ଦ୍ର ଦାସ ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ଵାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସମସ୍ତ ପ୍ରାର୍ଥୀପତ୍ର ଗୁଡିକ ଯାଞ୍ଚ କରାଯିବ । ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି।