ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବେ ସୂର୍ଯ୍ୟବଂଶୀ ସୁରଜ । ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୁରଜ ନିଜର ନାମାଙ୍କନ ପତ୍ର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ନେଇ ସୂଚନା ମିଳିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତା ଧାମନଗରରେ ଉପସ୍ଥିତ ରହିଛନ୍ତି ।ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୁରଜ । ତାଙ୍କୁ ଦଳ ଟିକେଟ ଦେଇଛି । ବିଗତ ଦୁଇ ଦିନ ଧରି ବିଜେପି ନେତାମାନେ ଭଦ୍ରକରେ ଡେରା ପକାଇଛନ୍ତି । ଆଜି ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସୁରଜ ନାମଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ସୁରଜଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି ଅଭିମନ୍ୟୁ ସେଠୀ, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ । ଗତକାଲି ଦଳର ଧାମନଗର ଉପନିର୍ବାଚନ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ହୋଇଥିବା କୁହାଯାଉଛି। ତେବେ ଆଜି ଏଆଇସିସି ପକ୍ଷରୁ ଏହି ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲାଗିବା ପରେ ନାମକୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅନ୍ୟପଟେ ବିଜେଡିରେ ଏକାଧିକ ଆଶାୟୀ ଥିବାବେଳେ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ଘୋଷଣା ହୋଇଛି। ଏହି ନିର୍ବାଚନ ପାଇଁ ନଭେମ୍ବର ୩ ରେ ହେବ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନଭେମ୍ବର ୬ ତାରିଖରେ ଏହାର ଫଳ ପ୍ରକାଶ ପାଇବ।