
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଗତକାଲି ଦେହାନ୍ତ ହୋଇଥିଲା। ଆଜି ତାଙ୍କର ପୈତୃକ ଗାଁ ସୈଫାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବା ମୁଲାୟମ ସିଂ ଯାଦବ ଗତକାଲି ଆଖି ବୁଜିଥିଲେ।ଏହାପରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହକୁ ଇଟାୱା ଜିଲ୍ଲାସ୍ଥିତ ପୈତୃକ ଗାଁ ସୈଫାଇକୁ ଅଣାଯାଇଥିଲା। ସୈଫାଇରେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ଲୋକ ଭିଡ଼ ଜମାଇଛନ୍ତି।
ତେବେ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଆଜି ସକାଳ ପ୍ରାୟ ୧୦ଟା ବେଳେ ନେତାଜୀଙ୍କ ମୃତଦେହ ସୈଫାଇ ଗାଁର ଏକ ପେଣ୍ଡାଲରେ ରଖାଯିବ। ଅପରାହ୍ନ ପ୍ରାୟ ୨ଟାରେ ମୁଲାୟମ ସିଂ ଯାଦବଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନକୁ ନିଆଯିବ । ଏହା ପରେ ଅପରାହ୍ନ ୩ଟାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କର ଶବଦାହ କରାଯିବ। ମୁଲାୟମଙ୍କ ମୃତ୍ୟୁ ପରେ ୟୁପି ସରକାର ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।
ଅନ୍ୟପଟେ ଆଜି ମୁଲାୟମ ସିଂଙ୍କ ଅନ୍ତିମ ସଂସ୍କାରରେ ବହୁ ହାଇ ପ୍ରୋଫାଇଲ ନେତା, ମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲୋକସଭା ବାଚସ୍ପତି ଓମ ବିର୍ଲା, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ, ମୁଲାୟମ ସିଂ ଯାଦବ ୧୦ ଥର ବିଧାୟକ, ୭ ଥର ସାଂସଦ ଭାବେ ନିର୍ବାଚିତ ହେବା ସହିତ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାବାଦ ୧୯୯୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ମୁଲାୟମ ସିଂ ଯାଦବ ଦୀର୍ଘ ୫ ଦଶନ୍ଧି ଧରି ଜାତୀୟ ଓ ଉତ୍ତରପ୍ରଦେଶର ରାଜନୀତିରେ ସକ୍ରିୟ ରହିଥିଲେ। ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଓ ଡକ୍ଟର ରାମମନୋହର ଲୋହିୟାଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଲାୟମ ନିଜକୁ ଜଣେ ସଫଳ ରାଜନୀତିଜ୍ଞ ଭାବେ ପ୍ରତିପାଦିତ କରି ପାରିଥିଲେ।