ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବୈଠକ । ଏ ନେଇ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି ।ଆଜି ବୈଠକରେ ଯୋଗ ଦେବା ପରେ କାଲି ଅର୍ଥାତ୍ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦୨୩ ଯାଏଁ ଭାରତ G-20 ଅଧ୍ୟକ୍ଷ ରହିବ । ଏହି ଅବଧି ମଧ୍ୟରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, G-20ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ ।

ଯାହାଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟରେ ୫ଟି ବୈଠକ ଆୟୋଜିତ ହେବ । ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।

Related Posts