ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ବାଜି ସାରିଛି ନିର୍ବାଚନ ଵିଗୁଲ । ପ୍ରାର୍ଥୀ ପତ୍ର ଦାଖଲ ପକ୍ରିୟା ମଧ୍ୟ ଶେଷ ହୋଇଛି । ତେବେ ଏବେ ମଇଦାନରେ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ । ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୫ ଜଣଙ୍କ ନାମାଙ୍କନ କାଏମ ରହିଛି ।
ଏଥିସହ ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ୨୦ଟି ଟିମ୍ ଘରକୁ ଯାଇ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ ।
୧୨୦୫ ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଛନ୍ତି । ୧୩୪ ବୁଥର ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନୀ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ବାଲାଟର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ନୁତୟନ ହେବେ ।
୨ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ୍ ଟିମ୍ ନିୟୋଜିତ ହେବେ । ଉପନିର୍ବାଚନରେ ପ୍ରତି ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ମୋଟ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ଧାମନଗରରେ ଉପନିର୍ବାଚନରେ ମତଦାନ କରିବେ । ଏଥିପାଇଁ ୨୫୨ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ମତଦାନ ଦିନ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ସେହିପରି ଭୋଟ ଗଣତି ଦିନ ମଧ୍ୟ ମଦବିକ୍ରିରେ କଟକଣା ଲାଗୁ ହୋଇଛି । ସେହିପରି ଭୋଟରଙ୍କୁ ସବୈତନିକ ଛୁଟି ମିଳିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।
