ବିଧାୟକ ପଦର ଶପଥ ନେଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ସୂର୍ଯ୍ୟବଂଶୀ ବାଚସ୍ପତିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଏହି ଅବସରରେ ବାଚସ୍ପତି ଆରୁଖ ଉପହାର ସ୍ବରୁପ ତାଙ୍କୁ ଏକ ଗାନ୍ଧୀ ମୂର୍ତ୍ତି ପ୍ରଦାନ କରିଛନ୍ତି। ଶପଥପାଠ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ,ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ତେବେ ଆଜି ଶପଥ ଗ୍ରହଣ ପୂର୍ବରୁ ସୂର୍ଯ୍ୟବଂଶୀଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳ‌ୟରେ ବ୍ୟାପକ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆ‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ବରିଷ୍ଠ ନେତା ଜୁଏଲ ଓରାମ, କେଭି ସିଂ ଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପ୍ରଭାରୀ ଡି ପୂରନ୍ଦେଶ୍ବରୀ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।।

ତେବେ ରାଜ୍ୟର ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜୟୀ ହେବା ପରେ ସୂର୍ଯ୍ୟବଂଶୀ କହିଥିଲେ ଯେ, ‘ମୁଁ ଭୋଟ ମାଗୁ ନଥିଲି କି ବିଜୟ ପାଇଁ ନିର୍ବାଚନକୁ ଓହ୍ଲାଇ ନଥିଲି। ମୁଁ ମୋ ବାପାଙ୍କର ବିଶାଳ ପରିବାରର ସେବା କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲି। ନିର୍ବାଚନ ପ୍ରଚାରରେ ମୁଁ କେବଳ ଆପଣଙ୍କର ଆଶୀର୍ବାଦ ମାଗିଥିଲି। ଆଉ ଆପଣମାନେ ମୋ ବାପାଙ୍କୁ ଯେଉଁ ଭଲପାଇବା ଦେଇଥିଲେ, ତାଙ୍କ ଅବର୍ତ୍ତମାନରେ ମୋତେ ସେଇ ଭଲପାଇବା ଦେଇ ଆଶୀର୍ବାଦ କରିଛନ୍ତି। ଏ ବିଜୟ ମୋର ନୁହେଁ, ଏ ବିଜୟ ସମଗ୍ର ଧାମନଗରବାସୀଙ୍କର। ତେଣୁ ଧାମନଗରବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି।’ ଏଥିସହିତ, ‘ମୁଁ ବିଧାୟକ ନୁହେଁ, ମୁଁ ଜଣେ ସେବକ’ ବୋଲି ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଥିଲେ।

ସୂଚନାଯୋଗ୍ୟ ଯେ, ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା। ସେଠାରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରାଯାଇଥିଲା ସେ ଏହି ଆସନରେ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟରେ ହରାଇ ବାଜିମାତ କରିଥିଲେ।

Related Posts