ଭଦ୍ରକ: ଧାମନଗର ଉପନିର୍ବାଚନ ଲାଗି ଶେଷ ହୋଇଛି ପ୍ରାର୍ଥିପତ୍ର ପ୍ରତ୍ୟାହାର । ଏବେ ପ୍ରଚାର ମଇଦାନ ରେ 5 ଜଣ ଥିବା ବେଳେ, ଏବେ ଏମାନଙ୍କ ମଧ୍ୟରେ ହେବ ଲଢେଇ । ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି।
୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ଦୁଇ ଜଣ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି ।
ସେମାନଙ୍କ ମଧ୍ୟରୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା ।
ପ୍ରଚାରରେ ସବୁଠୁ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ନାମାଙ୍କନ ପତ୍ର ଦାଖଲ ପରଠାରୁ ସେ ଗାଁ ଗାଁ, ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ନିର୍ବାଚନ ଲଢୁଛନ୍ତି ।
ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ କର୍ମୀ ଓ ନେତା ପ୍ରତ୍ୟେକ ପଞ୍ଚାୟତରେ ରହି ପ୍ରଚାର ଚଳାଇଛନ୍ତି । ଅବନ୍ତୀ ନିଜେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟ୍ ମାଗୁଛନ୍ତି ।
ଅନ୍ୟପକ୍ଷରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜିଠାରୁ ପ୍ରଚାରରେ ବାହାରି ପଡ଼ିଛନ୍ତି । ଗତକାଲି ତାଙ୍କର ଚିହ୍ନ ଆସିବା ପରେ ନିଜ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଚାରିଦିନ ଭିତରେ ସବୁ ଜୋନ୍ରେ ବୈଠକ କରି କର୍ମୀଙ୍କ ସମର୍ଥନ ନେବା ପରେ ଆଜିଠାରୁ ରୋଡ ଶୋ’ କରିବା ସହ ଦୁଆର ଦୁଆର ଦ୍ୱାର ବୁଲି ଭୋଟ୍ ମାଗୁଛନ୍ତି ।
ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ଧାମନଗର ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଓ ଆଲୋଚନା । ରାଲି, ସଭା ସମିତି କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଅଣ୍ଟା ଭିଡ଼ିଲେଣସି ସମସ୍ତ ୫ ପ୍ରତିଦ୍ୱନ୍ଦୀ ।
ଧାମନଗର ବିଜୟ ପାଇଁ ବିଜେଡି ସହଜ ବାଟ ଖୋଜୁଥିବା ବେଳେ ଫେଲ୍ ମାରିଛି ମ୍ୟାନେଜ ଗଣିତ । ଆଉ ଏବେ ବିଜେଡି ଟିକଟ୍ରୁ ବଞ୍ଚିତ ହେବାପରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ନଜର ।
ନିଜ ନିଷ୍ପତ୍ତିରେ ସେ କାଏମ୍ ରହିଥିବାରୁ ଧାମନଗର ଓ ସାରା ରାଜ୍ୟ ଦେଖିବାକୁ ଯାଉଛି ଏକ ରୋଚକ ଲଢ଼େଇ । ବିଜେଡି ବନାମ୍ ଅସନ୍ତୁଷ୍ଟ ବିଜେଡି । ଯେଉଁ ଅବନ୍ତୀ ଦାସଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷା ପଦବୀରେ ରାଜେନ୍ଦ୍ର ବସାଇଥିଲେ, ଏବେ ତାଙ୍କ ସହ ହେବ ସାମନାସାମନି ଲଢ଼େଇ । ସେପଟେ ରାଜୁଙ୍କୁ ନେଇ ଫୁଲ୍ ଟେନସେନ୍ରେ ଶଙ୍ଖ ଶିବିର ।
