ଜମ୍ମୁକଶ୍ମୀରରେ ଟାର୍ଗେଟ କିଲିଂ: ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ଉତ୍ତରପ୍ରଦେଶର ଦୁଇ ଜଣଙ୍କର ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର ଜାରି ରହିଛି ଆତଙ୍କବାଦୀଙ୍କ ଟାର୍ଗେଟ କିଳିଂ । ନିରୀହ ଲୋକମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଂକବାଦୀ । ଯାହା ଏବେ ସୁରକ୍ଷାକର୍ମୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ, ଶୋପିଆନରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ଆଜି ଉତ୍ତରପ୍ରଦେଶର କନୌଜର ଦୁଇ ଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି |

ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ଜଣ ଶ୍ରମିକ ହରମନ ଅଞ୍ଚଳରେ ରହୁଥିଲେ ଏବଂ ଆକ୍ରମଣ ସମୟରେ ଶୋଇଥିଲେ।

କଶ୍ମୀର ଜୋନ୍ ପୁଲିସ ମଙ୍ଗଳବାର ଏକ ଟୁଇଟ୍ ଜରିଆରେ କହିଛି ଯେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ ଯେଉଁଥିରେ ଉତ୍ତରପ୍ରଦେଶର ଦୁଇ ଜଣ ଶ୍ରମିକ ମନୀଷ କୁମାର ଏବଂ ରାମ ସାଗର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟ ଉତ୍ତରପ୍ରଦେଶର କନୌଜର ହୋଇଥିବାବେଳେ ଜମ୍ମୁକଶ୍ମୀରରେ ଶ୍ରମିକ ଭାବେ କାମ କରୁଥିଲେ |

ପୁଲିସ କହିଛି ଯେ ଗ୍ରେନେଡ ଫିଙ୍ଗିଥିବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି, ‘ଶୋପିଆନ୍ ପୁଲିସ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ହୋଇଥିବାବେଳେ ସେ ଜଣେ ହାଇବ୍ରିଡ୍ ଆତଙ୍କବାଦୀ ଥିଲା। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ‘ ଏହାପୂର୍ବରୁ ଅକ୍ଟୋବର ୧୫ରେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଚୌଧୁରୀଗୁଣ୍ଡରେ ଜଣେ କାଶ୍ମୀରୀ ପଣ୍ଡିତ ପୁରଣ କୃଷ୍ଣ ଭଟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Related Posts