ଧାମନଗର ଉପନିର୍ବାଚନ: କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ମୋକିମ ଆଉଟ୍‌

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ଲାଗି ରାଜ୍ୟର 3 ପ୍ରମୁଖ ଦଳ ନିଜ ନିଜ ପ୍ରଚାରକ ତାଲିକା ଘୋଷଣା କରିଛନ୍ତି ।ଏହାରି ମଧ୍ୟରେ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନଥିବାରୁ ଚର୍ଚ୍ଚା ଧୋର ଧରିଛି। ଏହି ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ମୁଖ୍ୟ ସାମିଲ ଅଛନ୍ତି।

ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସହ ପ୍ରସାଦ ହରିଚନ୍ଦନଙ୍କ ନାଁ ମଧ୍ୟ ରହିଛି। ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ରହିଛନ୍ତି। ତାଲିକାରେ ମୋଟ୍ ୮ ବିଧାୟକଙ୍କୁ ସାମିଲ କରାଯାଇଛି। ଏହି ମାନେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପଚାର କରିବେ।

ସେହିପରି ବିଜେଡି ଓ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ଜାରି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱନୀ ପାତ୍ର ଓ ରାଜେନ୍ଦ୍ର ଢ଼ୋଲକିଆ ସାମିଲ ଥିବାବେଳେ ବିଜେଡିର ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ମୁଖିଆ ଯଥାକ୍ରମେ ଦେବୀରଞ୍ଜନ ତ୍ରିପାଠୀ, ବ୍ୟୋମକେଶ ରାୟ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ରହିଛି । ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ ୪୦ଜଣଙ୍କୁ ସାମିଲ କରାଯାଇଛି । ତେବେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇ ନଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିପିଲି ଉପନିର୍ବାଚନ ଭଳି ଧାମନଗରରେ ଭର୍ଚୁଆଲ ପ୍ରଚାର କରିପାରନ୍ତି ବୋଲି ଜଣାପଡ଼ିଛି ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ସୁନୀଲ ବଂଶଲ, ବିଜୟପାଲ ସିଂ ତୋମର, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବିତ ପାତ୍ର,ମନମୋହନ ସାମଲଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ଦଳର ବିଧାୟକ ମୋହନ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଅନ୍ୟମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି।

Related Posts