ବିଜେଡି ର ‘ ପ୍ରଧାନ ‘ ଶକ୍ତି: ବବିଙ୍କ ଟୁଇଟର ରେ ହେଉଛି ଖେଳ

ସତ୍ୟପାଠ ୧୯/୧୨: ରାଜ୍ୟରେ ବିଜେପି କୁ ଚେକ୍ ଦେବା ପାଇଁ ବିଜେଡି କିଭଳି ଚାଲାକି ରେ ରାଜନୀତି କରୁଛି ତାର ଟେର ବି ପାଇବା ଭା ଜ ପା ନେତାଙ୍କ ପାଇଁ ମୁସ୍କିଲ। କାରଣ ରାଜନୀତି ଟା ଏଭଳି କାଇଦାରେ ହେଉଛି ଯେ ତାକୁ ବିଜେପି ନେତା ଓ ମିଡିଆ ଧରିବା କାଠିକର ପାଠ। ଆଉ ବିଜେପି ନେତା ଓ କର୍ମୀ ଯେବେ ବୁଝିବେ ସେତେବେଳକୁ ବିଜେଡି ତଳ ଆଡୁ ନାଡ଼ି କାଟି ସାରିଥିବ, ଉପରକୁ ଖାଲି ପଦ୍ମ ପାଖୁଡ଼ା ଥିବ। ବିଜେଡି ର ମୂଖ୍ୟ ଚାଲ୍ ହେଲା, ରାଜ୍ୟ ବିଜେପି ର ଯେଉଁ ନେତାମାନେ ନିଜ ନିଜର କ୍ଷମତା କେନ୍ଦ୍ର ବୃଦ୍ଧି ପାଇଁ ଭିତିରିଆ ରାଜନୀତି କରୁଛନ୍ତି ସେମାନଙ୍କ ଭିତରେ କ୍ଷମତା ବା ପତିଆରା କନ୍ଦଳ ଲଢ଼ଇକୁ ତୀବ୍ରତର କରିବା ।ଏବଂ ରାଜ୍ୟ ବିଜେପି ନେତାଙ୍କ ପରସ୍ପର ପ୍ରତି ଭିତରେ ଅବିଶ୍ବାସ ଓ ସନ୍ଦେହ କୁ ଯେତେ ସମ୍ଭବ ବଢେଇ ଚାଲିବା। ବିଜେଡି ର ଏହି ଚାଲ୍ ନୂଆ ନୁହଁ, ରାଜ୍ୟ ରେ ବିଜେପି ନେତା ଓ କର୍ମୀ ନବୀନ ସରକାର ସହ ଲଢ଼ି ଲହୁ ଲୁହାଣ ହେଉଥିବା ବେଳେ କେନ୍ଦ୍ର ନେତା ଓ ସରକାର ବିଜେଡି ଠୁ ସମର୍ଥନ ନେବା । ବିଜେପି ନେତାଙ୍କୁ ରାଜ୍ୟ ସଭା ପଠେଇବା, ସେହି ବିଜେପି ନେତା ନବୀନଙ୍କୁ ଜୋତା ଫୋପାଡ଼ିଲେ, ପୋଡ଼ା ଟ୍ରାଂଶଫର୍ମର କହିଲେ ହେଲେ ନବୀନ ବାବୁ ସେମାନଙ୍କୁ ଘରେ ବସେଇକି ଭୂରି ଭୋଜନ ଦେଇକି ଏଭଳି ସତ୍କାର କଲେ ଯେ ସେମାନେ ନିଜ ଛେପ ନିଜେ ଢୋକିଲେ।

ଏବର ନୂଆ ଖେଳ ଟି ହେଉଛି, ରାଜ୍ୟ ବିଜେପି ରେ ପତିଆରାରେ ଏବେ ଏକ ନମ୍ବର ନେତା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶସ୍ତି ବାଆଁରେ ବିଜେପି କୁ ବାଣ ମାରିବା। ଆଉ ଏହି ଏପିଶୋଡ ର ଦାୟିତ୍ବ ନେଇଛନ୍ତି ବିଜେଡି କ୍ୟାଡ଼ରର ଦୁଇ ନମ୍ବର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ। ଯୋଜନାଟି ହେଲା, ବିଜେଡି ପାଇଁ ଭାରତୀୟ ଜନତା ପାର୍ଟି ଓଡିଶ। ବୋଇଲେ କେବଳ ଧର୍ମେନ୍ଦ୍ର ପ୍ରଧାନ। ଦଳ ରାଜ୍ୟ ବିଜେପି ର ଆଉ କୌଣସି ନେତାଙ୍କୁ ବାଳ ପ୍ରମାଣେ ସ୍ବୀକାର କରିବାକୁ ରାଜିନୁହଁ। ଏହାର ଉଦ୍ଦେଶ୍ୟ ହେଲା ଖାତିରିଦାରି ରେ ଧର୍ମେନ୍ଦ୍ର ଙ୍କ ଇଗୋ କୁ ବେଲୁନ ଭଳି ଫୁଲେଇ ଦେବା ଓ ଏହା ଆଢ଼ୁଆଳରେ ରାଜ୍ୟ ବିଜେପି କ୍ୟାଡ଼ର ଭିତରେ ନେତୃତ୍ୱ ବାସ୍ତବରେ ମଣ ଚାହୁଁଚି ତାକୁ ନେଇ ସଂଶୟ ସୃଷ୍ଟି କରିବା।

ଏହି ଯୋଜନାର ସୁରାଗ ରହିଛି ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟର ଓ ଫେସବୁକ୍ ହାଣ୍ଡଲ ରେ। ପ୍ରଣବ ପ୍ରକାଶଙ୍କ ଟୁଇଟର ରେ ରାଜ୍ୟ ବିଜେପି କୁ ନେଇ ଯେତେ ଟୁଇଟ କରିଛନ୍ତି ସବୁ ପୋଷ୍ଟ ରେ କେବଳ ଧର୍ମେନ୍ଦ୍ରଙ୍କ ଟ୍ୟାଗ୍ କରାଯାଇଛି। ବିଜେପି ଓଡ଼ିଶା ବା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କୁ କେଉଁଠି ବି ଟାଗ କରାଯାଇନlହିଁ।

ମଜାର କଥା ହେଲା ସବୁଠି, ବବି ବାବୁ ପ୍ରାୟ ସବୁ ପୋଷ୍ଟ ରେ ଧର୍ମେନ୍ଦ୍ର ଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ, ଧର୍ମେନ୍ଦ୍ର ବାବୁଙ୍କୁ ବିଜେପି ର ଜାତୀୟ ସ୍ତରର ଜଣେ ବରିଷ୍ଠ ନେତା ବୋଲି କହିଛନ୍ତି। ଏହି ସମ୍ବୋଧନ ରାଜନୀତି ଭିତରେ ପ୍ରଣବ ଦାସ ଯେଉଁ ସନ୍ଦେଶ ଟି ଦେଇଛନ୍ତି ସେଇଟା ହେଲା, ବାବୁ ପ୍ରଧାନ ଏବେ ଓଡ଼ିଶା BJP ରେ କିଛି ନୁହଁ, ସିଏ ଏବେ ବିଜେପି ର ଜାତୀୟ ନେତା। ଅର୍ଥାତ୍ ଓଡ଼ିଶା ରାଜନୀତରେ ଧର୍ମେନ୍ଦ୍ରଙ୍କ ର ଏବେ ଖେଳ ଶେଷ। ଆଗକୁ ହେଇପାରେ, କିନ୍ତୁ ୨୦୨୪ ପାଇଁ ଆପାତତଃ ନାହିଁ। ଅନ୍ୟ ଟି ହେଲା, ଏହା ଦ୍ବାରା ରାଜ୍ୟ ବିଜେପି ଭିତରେ ଧର୍ମେନ୍ଦ୍ରଙ୍କ ର ବିଜେଡି ପ୍ରତି ନରମ ଆଭିମୁଖ୍ୟ କୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଛି ସେଥିରେ ଆଉ ଟିକେ ଘିଅ ଢାଳିବା।

ବବିଙ୍କ ଟୁଇଟର ରାଜନୀତି ସ୍ପଷ୍ଟ କରୁଛି କି, ୨୦୧୯ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ଙ୍କ ଇମେଜ୍ ଯେଭଳି ନବୀନ ଙ୍କର ଜଣେ ଧୂଆଁଧାର କଟର ବିକଳ୍ପ ନେତା ଭାବରେ ଉଭା ହେବା ଆରମ୍ଭ କରିଥିଲା ତାକୁ ମିଠା ବିଷରେ ମାରିବା। ଯାହାକି ନବୀନ ନିବାସ ରେ ପ୍ରଧାନ ବାବୁଙ୍କର ଭୋଜନ ପରଠାରୁ ଲଗାତାର ଜାରି ରହିଛି।

ମଜା କଥା ହେଲା, ଏବେ ବିଜେଡି ର ବଡ ଶକ୍ତି ହେଉଛି ଧର୍ମେନ୍ଦ୍ର ବାବୁ। କାରଣ ପ୍ରତି ଟୁଇଟ ରେ ପ୍ରଣବ ପ୍ରକାଶ ଏହାହିଁ ଲେଖୁଛନ୍ତି କିନ୍ତୁ ଧର୍ମେନ୍ଦ୍ର ଙ୍କ ପାଖରୁ ପଦୁଟିଏ ବି ଏ ନେଇ ବାରଣ ନାହିଁ, ବରଂ ସମ୍ମତି।

ଅନେକ ଏହା ବି କହିଛନ୍ତି କି ଧର୍ମେନ୍ଦ୍ର କୁଆଡେ ଭିତିରିଆ ସମ୍ମତି ବିଜେଡି କୁ ଦେଇ ଦେଇଛନ୍ତି। କାରଣ ଏହି ବାହାନାରେ ପ୍ରଧାନ ବାବୁ ପ୍ଲାନ୍ କରିଛନ୍ତି ଯେ ୨୦୧୯ ପରେ ରାଜ୍ୟ BJP ରେ ତାଙ୍କ ବିରୁଦ୍ଧ ରେ ଯେଉଁ କେତେଜଣ ମେଳି କରୁଛନ୍ତି ସେମାନଙ୍କୁ ସଫା କରିଦେବେ। ତା ନହୋଇଥିଲେ, ମମୀତା ପ୍ରସଙ୍ଗରେ ପ୍ରଧାନ ଙ୍କ ଭଳି ଫାୟାରବ୍ରାଣ୍ଡ ନେତା ଏଭଳି ଭଦ୍ର ନୀରବତା ଅବଲମ୍ବନ କରିନଥାନ୍ତେ। ମାହାଙ୍ଗା ରେ ଦଳର ଦୁଇ ବରିଷ୍ଠ ନେତାଙ୍କ ମର୍ଡର ଘଟଣାରେ ଆଇ ଆଇ ସି ଅଦାଲତ ଅବମାନନା କରୁଛନ୍ତି କିନ୍ତୁ ପ୍ରଧାନ ଚୁପ୍।

ରାଜ୍ୟ ବିଜେପି ର କିଛି ନେତାଙ୍କ କହିବା କଥା ଯେ, ଧର୍ମେନ୍ଦ୍ରଙ୍କୁ ଓଡିଶ ୟୁନିଟ ରେ ଦଖଲ ନ ଦେବାକୁ କେନ୍ଦ୍ରୀୟ ନେତୃତ୍ବ ବାରଣ କରିବା ପରେ ଏବେ ପ୍ରଧାନ ଙ୍କ ର ଯୋଜନା ହେଲା ‘ ମୁଁ ହେଇପାରିଲିନି ତ ଆଉ କାହାକୁ ହେବାକୁ ଦେବିନି’।

Related Posts