୭ ଶହ କୋଟିର ରୋପଣ; ଲୋକସେବା ଭବନ ରେ ଗଛ ରେ ଫଳୁଛି ଟଙ୍କା

ଭୁବନେଶ୍ୱର ୨୦/୧୨ : ଓଡିଶ। ସରକାର ରେ ଗଛ ରେ ବି ଟଙ୍କା ଫଳେ। ଗଛ ଲଗାଇବା ବା ବୃକ୍ଷ ରୋପଣ କାର୍ଯ୍ୟରେ ନେତା- ବାବୁ – ନର୍ସରୀ ମାଲିକଙ୍କ ମିଳି ଭଗତ ରେ ପ୍ରତି ବର୍ଷ ଚାଲିଛି ଶହ ଶହ କୋଟି ଟଙ୍କାର ଗଛ ଲଗା ଖେଳ। ସବୁଜ ବଳୟ ବୃଦ୍ଧି ପାଇଁ ବିଗତ ପାଞ୍ଚ ବର୍ଷରେ (୨୦୧୬-୧୭ ରୁ ୨୦୨୦-୨୧) ବିଭିନ୍ନ ଯୋଜନା ଅଧୀନରେ ରାଜ୍ୟ ସରକାର ୬୯୨.୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମାତ୍ର କେତେ ଚାରା ବାସ୍ତବରେ ଲାଗିଛି ଓ କେତେ ଗଛ ସତରେ ବଞ୍ଚିଛି ତାର ହିସାବ ନାହିଁ। ରାଜ୍ୟ ସରକାରଙ୍କ ତଥ୍ଯ ଦର୍ଶାଉଛି ଯେ ଗତ ୫ ବର୍ଷରେ ପ୍ରାୟ ୭ ଶହ କୋଟି ଟଙ୍କା ଗଛ ଲଗାଇବାରେ ଖର୍ଚ୍ଚ ହେଇଛି ମାତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପରିଚାଳନା ବା ମନିଟରିଂ କରିବା ପାଇଁ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି। ଅର୍ଥାତ ଗଛ କେତେ ଆସିଲା, କେତେ ଲାଗିଲା ଓ ତା ପରେ କଣ ହେଲା ସେସବୁ ହିସାବ ନାହିଁ କହିଲେ ଚଲେ।

ଜଙ୍ଗଲ ଏବଂ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ସର୍ବଶେଷ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟ ଏହି ପାଣ୍ଠିକୁ ବ୍ୟବହାର କରି ୨୦,୭୮୧.୩୩ କିଲୋମିଟର ପଥପାଶ୍ୱର୍ ବୃକ୍ଷ ରୋପଣ ମାଧ୍ୟମରେ ୧୨,୭୯ ଲକ୍ଷ ହେକ୍ଟର ନୂତନ ଜଙ୍ଗଲ କ୍ଷେତ୍ର ସୃଷ୍ଟି କରିଛି ।ତଥ୍ୟ ଦର୍ଶାଉଛି ଯେ ୨୦୧୬-୧୭ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟ ପାଇଁ ୧୪୭.୧୬ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୭-୧୮ରେ ୬୬.୯୭ କୋଟି, ୨୦୧୮-୧୯ ରେ ୧୭୪.୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବ୍ୟୟ ପରିମାଣ ୨୦୧୯-୨୦ ମଧ୍ୟରେ ୧୪୬.୪୮ କୋଟି ଟଙ୍କାକୁ ଏବଂ ଗତ ଆର୍ଥିକ ବର୍ଷ ୨୦୨୦-୨୧ ରେ ୧୫୭.୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।ରାଜ୍ୟରେ ସବୁଜ ବଳୟ ବୃଦ୍ଧି, ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ (ଏସଏମପିବି), ଜାତୀୟ ବାଉଁଶ ମିଶନ, ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସବୁଜ ଭାରତ ମିଶନ, ବୃକ୍ଷରୋପଣ ପରିଚାଳନା, ଆମ ଜଙ୍ଗଲ ଯୋଜନା (ଏଜେୱାଇ) ଏବଂ ସବୁଜ ମହାନଦୀ ମିଶନ (ଏସ୍‍ଏମ୍‍ଏମ୍‍) ସମେତ ଆଠଟି ବିଭିନ୍ନ ଯୋଜନାରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥିଲା ।ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ କାର୍ଯ୍ୟକ୍ରମରେ ସବୁଜ ବଳୟ ବୃଦ୍ଧି ଅଧୀନରେ ସର୍ବାଧିକ ୩୦୨.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୬-୧୭ ମସିହାରେ ୧୨୫ କୋଟି ଟଙ୍କା ବ୍ୟବହାର ହୋଇଥିବାବେଳେ ପରବର୍ତ୍ତୀ ୪ଟି ଆର୍ଥିକ ବର୍ଷରେ ଯଥାକ୍ରମେ ୪୪.୫୩ କୋଟି, ୬୦.୩୮ କୋଟି, ୩୪.୮୦ କୋଟି ଏବଂ ୩୮.୦୩ କୋଟି ଟଙ୍କା ବ୍ୟବହୃତ ହୋଇଥିବା ଜଣାଯାଇଛି ।ସବୁଜ ମହାନଦୀ ମିଶନ ଅଧୀନରେ ରାଜ୍ୟ ସମୁଦାୟ ୧୪୦.୮୬ କୋଟି ଟଙ୍କା ଖର୍ଚ୍ଚ କରିଛି, ସେଥିମ୍ମରୁ ୫୯.୪୮ କୋଟି ଟଙ୍କା ୨୦୧୮-୧୯ ସମୟରେ, ୨୦୧୯-୨୦ ରେ ୫୦.୬୦ କୋଟି ଏବଂ ୨୦୨୦-୨୧ ରେ ୩୦.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଜୁଲାଇ ୨୦୧୮ ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ୨୦୧୬-୧୭ ଏବଂ ୨୦୧୭-୧୮ ରେ କୌଣସି ରାଶି ଖର୍ଚ୍ଚ ହୋଇନଥିଲା ।ଅନ୍ୟାନ୍ୟ ଯୋଜନା ମଧ୍ୟରେ, ଏସଏମପିବି ଅଧୀନରେ ୬.୩୬ କୋଟି ଟଙ୍କା, ଜାତୀୟ ବାଉଁଶ ମିଶନ ଅଧୀନରେ ୧୮.୫୫ କୋଟି, ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ୬୯.୩୫ କୋଟି, ଗ୍ରୀନ ଇଣ୍ଡିଆ ମିଶନ ଅଧୀନରେ ୭୯.୭୦ କୋଟି ଏବଂ ଆମ ଜଙ୍ଗଲ ଯୋଜନା (ଏଜେୱାଇ) ଅଧୀନରେ ୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ରାଜ୍ୟ ପାଞ୍ଚ ବର୍ଷ ମଧ୍ୟରେ ବୃକ୍ଷରୋପଣ ପରିଚାଳନା ପାଇଁ ଗୋଟିଏ ପଇସା ଖର୍ଚ୍ଚ କରିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫ ବର୍ଷ ହେଲା ପରିଚାଳନା ପ୍ରସଙ୍ଗ ମଧ୍ୟ ବିଭାଗୀୟ ସ୍ତରରେ ମନ୍ତ୍ରୀ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ କେହି ଉଠାଇନାହାନ୍ତି।

Related Posts