ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଏବେ ଶେଷ ପର୍ଯାୟରେ ପହଁଚିଥିବାବେଳେ ରାଜନୈତିକ ବାତାବରଣ ସରଗରମ ହୋଇଛି । ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଆଜି ଏହି କ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ଦଳର ସଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନଧି ମଣ୍ଡଳୀ ସିଇଓଙ୍କୁ ଭେଟି ଧର୍ମେନ୍ଦ୍ର ପଦ୍ମପୁରରେ ହିଂସାକାଣ୍ଡ ପାଇଁ ଲୋକଙ୍କୁ ଉସୁକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ପଦ୍ମପୁରରେ ମୁକ୍ତ,ଅବାଧ ଓ ନିରପେକ୍ଷ ଉପନିର୍ବାଚନ ବିଜେପି ଚାହୁଁନାହିଁ ବୋଲି ବିଜେଡି କହିଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଦଳ ଆଭିଯୋଗ ଆଣିଛି। ଗତ ନଭେମ୍ବର ୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ରାଲିରେ ଯୋଗଦେବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ହିଂସା ପାଇଁ ଉସୁକାଇବା ପାଇଁ କହୁଥିବା ଦଳ ଅଭିଯୋଗ କରିଛି। ଏହି ଘଟଣା ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ବିଜେଡି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଭିଡିଓରେ ଦେଖାଉଥିବା ଆଚରଣ ଅଶୋଭନୀୟ ବୋଲି ବିଜେଡି କହିଛି। ପଦ୍ମପୁରର ଶାନ୍ତ ବାତାବରଣରେ କେନ୍ଦ୍ର ମନ୍ତ୍ରୀ ହିଂସା ପାଇଁ ଉସୁକାଇଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ପାଖରେ ଦଳ ଅଭିଯୋଗ କରିଛି ।
