ନାଦିଆ ଜିଲ୍ଲାରେ ଦୁଷ୍କର୍ମ ଘଟଣାକୁ ନେଇ ଦିଦିଙ୍କ ବିବାଦୀୟ ବୟାନ: ଟାର୍ଗେଟ କଲେ ନିର୍ଭୟାଙ୍କ ମା, ଏଭଳି ଚିନ୍ତାଧାରା ରଖିଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି

ନୂଆଦିଲ୍ଲୀ : ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦୀୟ ବୟାନ ଦେଇଛନ୍ତି | ଯାହାକୁ ନେଇ ବିଭିନ ଦିଗରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ, ଏହି ବୟାନ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ନିର୍ଭୟାଙ୍କ ମା’ | ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି ନିର୍ଭୟାଙ୍କ ମା’ | ସେ କହିଛନ୍ତି ଯେ, ଜଣେ ମହିଳା ହୋଇ ଦୁଷ୍କର୍ମ ପୀଡ଼ିତାଙ୍କ ବିଷୟରେ ଏଭଳି କହିବା ତାଙ୍କୁ ଶୋଭା ପାଉନାହିଁ। ଏଭଳି ଚିନ୍ତାଧାରା ରଖିଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି।

ଉଲ୍ଲେଖଯୋଗ୍ୟ, ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ଦିଦି କହିଥିଲେ ଯେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା। ଏବେ ଘଟଣା ପରେ ମୁଁ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛି।

ସେ ଆହୁରି କହିଛନ୍ତି, ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ। ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା।

Related Posts