ମେୟର ଓ ପୌରାଧ୍ୟକ୍ଷ ପଦବୀ ନେଇ ହେବ ପ୍ରତ୍ୟକ୍ଷ ନିର୍ବାଚନ: ସର୍ବସାଧାରଣଙ୍କ ମତାମତ ପାଇଁ ବିଜ୍ଞପ୍ତି ଜାରି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ପୌର ନିର୍ବାଚନକୁ ଅଟକାଇ ରଖିଥିବା ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ପୌରପାଳିକା ନିୟମ ୧୯୯୪ ଅଧ୍ୟାୟ -୩ ସଂଶୋଧନ ପାଇଁ ଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ। ବିଜ୍ଞପ୍ତି ଅନୁଯାୟୀ, ମାସକ ଭିତରେ ନଗର ଉନ୍ନୟନ ସଚିବଙ୍କ ନିକଟରେ ଅଭିଯୋଗ କରିହେବ। ପ୍ରସ୍ତାବିତ ସଂଶୋଧନରେ ମହାନଗର ନିଗମ ମେୟର, ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଲୋକଙ୍କ ଦ୍ୱାରା ନିର୍ବାଚିତ ହେବେ । ଲୋକମାନେ ସିଧାସଳଖ ଭୋଟ୍‌ ଦେଇ ଅଧ୍ୟକ୍ଷ ଓ ମେୟରଙ୍କୁ ନିର୍ବାଚିତ କରିପାରିବେ ବୋଲି ନଗର ଉନ୍ନୟନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ସୂଚନା ଥାଉକି ପୌର ନିର୍ବାଚନ ବିଳମ୍ବକୁ ନେଇ ଗୁରୁବାର ବିଜେପି ପକ୍ଷରୁ ହାଇକୋର୍ଟରେ ୩ଟି ପିଟିସନ ଦାଖଲ କରାଯାଇଥିଲା।

ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ପୌରାଂଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ଅଧ୍ୟକ୍ଷ ପଦବୀ ପ୍ରାର୍ଥୀ କେଉଁ ବର୍ଗର ହେବେ ତାହା ପୌରାଂଚଳର ଜନସଂଖ୍ୟା ଆଧାରରେ ସ୍ଥିର ହେବ। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଭୋଟ୍ ବାକ୍ସ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଆଉ ଏକ ଭୋଟ୍ ବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ଏହା ବ୍ୟବହାର କରାଯିବ। ନିର୍ବାଚନ ଅଧିକାରୀ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ସଂଖ୍ୟକ ଭୋଟବାକ୍ସ ଯୋଗାଇ ଦେବେ। ତେବେ ଏହି ଭୋଟ ବାକ୍ସଗୁଡ଼ିକର ଆକାର ଓ ପ୍ରକାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ହେବ।ଏହି ସଂଶୋଧିତ ଚିଠା ଆଇନ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ନାଗରିକ ନିଜର ଆପତ୍ତି ଅଭିଯୋଗକୁ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ , ରାଜ୍ୟ ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ହାଇକୋର୍ଟରେ ବିଜେପି ପକ୍ଷରୁ ପିଟିସନ ଦାଖଲ କରାଯାଇଛି। ଏହାରି ମଧ୍ୟରେ ସରକାର ଏହି ଚିଠା ଆଇନକୁ ଜାରି କରିଛନ୍ତି । ଏହି ସଂଶୋଧିତ ଚିଠା ଆଇନ ଉପରେ ଅଭିଯୋଗ ପରେ ସରକାର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଆରମ୍ଭ କରିବେ । ତେବେ ବିଜେଡି ସରକାର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଚାହୁଁଥିବାବେଳେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନକରିବାକୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଏବେ ସରକାରଙ୍କ ପାଇଁ ଅଡ଼ୁଆ ସାଜିଛି । ଯେଉଁ କାରଣରୁ ପୌର ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।

Related Posts