ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ

ଭୁବନେଶ୍ୱର : ନବନିର୍ବାଚିତ ସୁଲୋଚନା ଦାସ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି | ବିଏମ୍‌ସି କନଫରେନ୍ସ ହଲ୍‌ରେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥ ନେଇଛନ୍ତି। ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ସମସ୍ତ କର୍ପୋରେଟରଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।

ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ମେୟର ସୁଲୋଚନା ଦାସ ପ୍ରଥମେ ଶପଥ ନେବା ପରେ ଅନ୍ୟ ୬୭ଜଣ କର୍ପୋରେଟର ଶପଥ ନେଇଥିଲେ।

ତେବେ ଏହି ଅବସରରେ ସେ କହିଛନ୍ତି ଯେ, “ସାଢେ ୧୧ ଲକ୍ଷ ଲୋକ ଆମ ପରିବାର” । ଶେଷ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ । ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । କର୍ପୋରେଟର କିଛି ବିଜେଡି, ବିଜେପି କଂଗ୍ରେସ ନୁହେଁ । ସମସ୍ତେ ମିଳିମିଶି ଭୁବନେଶ୍ବର ବିକାଶ ପାଇଁ କାମ କରିବୁ । ସେହିପରି ଭୁବନେଶ୍ବରରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି । ସେଗୁଡିକର କିଭଳି ରକ୍ଷଣବେକ୍ଷଣ କରିହେବ ସେନେଇ କାମ କରିବୁ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିକାଶ ନେଇ ଯେଉଁ ପଦକ୍ଷେପ ନେଇଛନ୍ତି । ତାକୁ ଗୁରୁତ୍ବ ଦେଇ ସବୁବେଳେ କାମ କରିବୁ । ଲୋକଙ୍କ ପାଇଁ ସର୍ବଦା କାମ କରିବୁ ।

ସେପଟେ ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟି ମେୟର ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ଯାଏ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ।

ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ଭାବେ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରାଙ୍କୁ ସୁଯୋଗ ମିଳିପାରେ।

Related Posts