ୟୁପି ପୋଲିସ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ, ପୋଲିସ ନାଁରେ ରୁଜୁ ହେଲା ହତ୍ୟା ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଉତ୍ତରଖଣ୍ଡର ଜଣେ ଖଣି ମାଫିଆକୁ ଧରିବା ପାଇଁ ଗୁଳି ବିନିମୟ ବେଳେ ଉତ୍ତରପ୍ରଦେଶ ମୋରାବାଦ୍‌ର ୫ ଜଣ ପୁଲିସ୍‌ ଆହତ ହେବା ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ଓ ଖଣି ମାଫିଆଙ୍କ ଗୁଳି ବିନିମୟରେ ଯେଉଁ ମହିଳାଙ୍କ ଜୀବନ ଯାଇଛି ସେ ହେଉଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ଗୁରୁତାଜ୍‌ ବୁଲାରଙ୍କ ପତ୍ନୀ ଗୁରୁପ୍ରୀତ କୌର୍‌।

ସୂଚନା ଅନୁସାରେ, ଖଣି ମାଫିଆ ଜାଫର୍‌କୁ ଧରିବା ପାଇଁ ମୋରାବାଦ୍‌ ପୁଲିସ୍‌ ଉତ୍ତରଖଣ୍ଡର ଜଶପୁରରେ ପହଞ୍ଚି ଗୁଳି ଚଳାଇବା ପରେ ଏପରି ଘଟଣା ଘଟିଥିଲା। ପୁଲିସ୍‌ ସୂତ୍ରରୁୁ ମିଳିଥିବା ସୂଚନା ଅନୁସାରେ ଜାଫର୍‌ଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ସେ ଗୁରୁତାଜ୍‌ ବୁଲାରଙ୍କ ଘରେ ଲୁଚି ରହିଥିବା ପୁଲିସ୍‌ ସନ୍ଦେହ କରୁଥିଲା। ସେଥିପାଇଁ ୟୁପି ପୁଲିସ୍‌ ତାକୁ ଖୋଜିବାକୁ ଜଶପୁରରେ ପହଞ୍ଚିଥିଲା। ଏହାପରେ ସେଠାରେ ଗୁଳି ବିନିମୟ ପରେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି।

ତେବେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏପରିକି ଉତ୍ତରାଖଣ୍ଡରେ ୟୁପି ପୁଲିସ୍‌ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଏ ନେଇ ମୋରାବାଦ୍‌ର ବରିଷ୍ଠ ପୁଲିସ୍‌ ସାଲାବ ମଥୁର କହିଛନ୍ତି ଯେ, ‘ଜାଫର୍‌ ହେଉଛି ଜଣେ ଏପରି ଅପରାଧୀ, ଯାହାକୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା। ସେ ଭରତପୁର ଗ୍ରାମରୁ ଖସି ପଳାଇବା ପରେ ପୁଲିସ୍‌ ଖୋଜିବା ଆରମ୍ଭ କରିଥିଲା। ଆମ ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ଧକ ରଖି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇଥିଲା। ଟିମ୍‌ରୁ ୫ ଜଣ ପୁଲିସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।’

Related Posts