ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି ଓ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ ମଧ୍ୟ ଶେଷ ହୋଇଛି। ମାତ୍ର ଏହାରି ଭିତରେ ଜେଡିୟୁରେ ଦେଖାଦେଇଛି ଅସନ୍ତୋଷ । ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିବାରୁ ୫ ଜେଡିୟୁ ବିଧାୟକ ଅସନ୍ତୁଷ୍ଠ ଥିବା କୁହାଯାଉଛି । ସେମାନେ ରାଜଭବନରେ ହୋଇଥିବା ଶପଥପାଠ ସମାରୋହରେ ଯୋଗଦେଇ ନାହାଁନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ସେମାନଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି ।

ନୀତୀଶ କ୍ୟାବିନେଟରେ ଗତକାଲି ୩୧ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି । ସେଥିରୁ ଆରଜେଡିର ୧୬ଜଣ ମନ୍ତ୍ରୀ ପଦ ପାଇଥିବାବେଳେ ଜେଡିୟୁ ଖାତାକୁ ଯାଇଛି ୧୧ଟି ପଦ । କଂଗ୍ରେସକୁ ମିଳିଛି ୨ଟି ମନ୍ତ୍ରୀ ପଦ । ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଓ ସ୍ୱାଧୀନପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିଛି ।

ଅନ୍ୟପକ୍ଷରେ ବିହାର ବିଜେପି ନେତୃତ୍ୱକୁ ନେଇ ଦିଲ୍ଲୀରେ ବସିଛି ବିଜେପି କୋର କମିଟି ବୈଠକ । ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଦରବାରରେ ହୋଇଛି ମାନସମନ୍ଥନ । ଆଗକୁ ବିହାରରେ ବିଜେପିର ସ୍ଥିତି ଓ ଦଳର ଭୂମିକା କଣ ରହିବ ଏନେଇ ବିଚାର ବିମର୍ଶ କରିଛି ଦଳ । ୨୦୨୪ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି । ଜେଡିୟୁର ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ବିଜେପି ଗୋଟିଚାଳନା ଆରମ୍ଭ କରିଥିବା ସୂତ୍ରରୁ ସୂଚନା ମିଳିଛି ।