ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଏକ ସାହସିକ ନିଷ୍ପତ୍ତି ଥିଲା : ସିଜେଆଇ ରମଣା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ଶନିବାର ପ୍ରୟାଗରାଜରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ୧୯୭୫ ମସିହାରେ ଆଲ୍ଲାହବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ଦେଇଥିବା ରାୟକୁ ମନେ ପକାଇଛନ୍ତି। ଏହି ଅବସରରେ ଜଷ୍ଟିସ୍ ରମଣା କହିଛନ୍ତି ଯେ, ଆଲ୍ଲାହବାଦ ହାଇକୋର୍ଟଙ୍କ  ଏହି ନିଷ୍ପତ୍ତି ଏକ ସାହସିକ ପଦକ୍ଷେପ ଥିଲା । ପ୍ରଧାନ ବିଚାରପତି କହିଛନ୍ତି ଯେ ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ରାୟ ଘୋଷଣା କରିଥିଲେ ଯାହାକି ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। 

ଏହା ଏକ ଅତ୍ୟନ୍ତ ସାହସିକ ନିର୍ଣ୍ଣୟ ଥିଲା ଏବଂ ଏହାର ସିଧା ପରିଣାମ ସ୍ବରୂପ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ତେବେ ଏ ସମ୍ପର୍କରେ ବର୍ତ୍ତମାନ ବିସ୍ତାରି ଭାବେ କିଛି କହିବାକୁ ଚାହୁନାହିଁ ବୋଲି ପ୍ରଧାନ ବିଚାରପତି ରମଣା ଏହି କାର୍ଯ୍ୟକ୍ରମରେ କହିଛନ୍ତି। ପ୍ରଧାନ ବିଚାରପତି ଆଲ୍ଲାହବାଦ ହାଇକୋର୍ଟର ନୂଆ ଭବନର ଶିଳନ୍ୟାସ ଉତ୍ସବରେ ଯୋଗଦେଵା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂଆ ଭବନର ଶିଳାନ୍ୟାସ କରିଛନ୍ତି।

ତେବେ ଏଠାରେ ସୂଚନା ଥାଉକି ଜୁନ୍‌ ୧୨, ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ କୌଣସି ନିର୍ବାଚିତ ପଦ ପଦବିରେ ରହିପାରିବେ ନାହିଁ ବୋଲି ରାୟ ଦେଇଥିଲେ। ଏହାପରେ ଜୁନ୍‌ ୨୫, ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। 

Related Posts