ରାଜଧାନୀରେ ଚାଞ୍ଚଲ୍ୟ : ସ୍ବିଗି ଡେଲିଭରି ବଏଙ୍କୁ ରାସ୍ତାରୁ ଉଠାଇ ନେଲେ ଦୁର୍ବୃତ୍ତ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ବିଗିରେ ଜଣେ ଡେଲିଭରି ବଏ ପତିତବପାବନ ପୃଷ୍ଟିଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରି ଅପହରଣ କରିନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ଉତ୍ତରା ଛକ ନିକଟରେ ଅପହରଣ କରାଯାଇଥିବା ନେଇ ଗତକାଲି ରାତିରେ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ ପତିତପାବନ ।

କିଛି ଦୁର୍ବୁତ୍ତ ଛୁରୀରେ ଆକ୍ରମଣ କରିବା ସହ ଫୋନ ଓ ଟଙ୍କା ଛଡ଼ାଇ ନେଇ ଯାଇଥିଲେ। ତେବେ ପତିତପାବନ ତାଙ୍କ ପାଖରେ ଥିବା ଆଉ ଏକ ଫୋନରୁ ସ୍ତ୍ରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକଙ୍କ ତରଫରୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରାଯାଇଥିଲା। ଶନିବାର ରାତି ୧୦ଟା ସମୟର ଏହି ଘଟଣା । ପତିତପାବନଙ୍କ ଫୋନ୍ କଲ୍ ପାଇବା ପରେ ପରିବାର ଲୋକ ଖୋଜାଖୋଜି  କରିଥିଲେ। କିନ୍ତୁ ଖବର ଲେଖାଯିବା ସୁଦ୍ଧା ପତିତପାବନଙ୍କ ପତ୍ତା ମିଳୁନି । 

ପତିତପାବନ ଯେଉଁ ଫୋନରେ ସ୍ତ୍ରୀଙ୍କୁ କଲ କରିଥିଲେ ସେହି ନମ୍ବର ବି ବର୍ତ୍ତମାନ ବନ୍ଦ ରହିଛି । ଅପରପକ୍ଷରେ ଦୟା ପୋଲ ଉପରେ ପତିତପାବନଙ୍କ ଚପଲ ଓ ଏକ ଛୁରୀ ପଡ଼ିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ପରିବାର ଲୋକେ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିଛି ଏବେ ତାକୁ ନେଇ ପ୍ରଶ୍ନ ଉଠିଛି । 

Related Posts