ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୈଗମ୍ବର ମହମ୍ମଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ନୁପୁର ଶର୍ମା । ଏନେଇ ଦଳ ତାଙ୍କୁ ନିଲମ୍ବିତ ମଧ୍ୟ କରିସାରିଛି । ସେପଟେ ପ୍ରାୟ ୧୬ ଟି ରାଷ୍ଟ୍ର ନୁପୁର ଶର୍ମାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରିଛନ୍ତି । ଏହା ମଧ୍ୟରେ ଆତଙ୍କବାଦୀମାନଙ୍କ ଆଗରେ ମଥାନତ ନ କରି ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଲାଗି ନେଦର୍ଲାଣ୍ଡ୍ସ୍ର କଠୋର ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍ଡର୍ସ କହିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ବର୍ବରତାର ପ୍ରତିନିଧିତ୍ବ କରୁଥିବା ‘ଅଲ୍-କାଏଦା’ ଭଳି ଇସ୍ଲାମୀୟ ଆତଙ୍କବାଦୀମାନଙ୍କ ସମ୍ମୁଖରେ ମଥାନତ କରନ୍ତୁ ନାହିଁ। ସମଗ୍ର ଭାରତୀୟ ଏବେ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଉଚିତ। ଅନେକ ବର୍ଷ ପୂର୍ବେ ‘ଅଲ୍-କାଏଦା’ ଏବଂ ‘ତାଲିବାନ୍’ ମତେ ସେମାନଙ୍କ ‘ହିଟ୍ଲିଷ୍ଟ୍’ରେ ରଖିଥିଲେ। ଆତଙ୍କବାଦୀଙ୍କ ଆଗରେ ମଥାନତ କରନ୍ତୁ ନାହିଁ।
କଦାପି ମଥାନତ କରନ୍ତୁ ନାହିଁ। ବିତର୍କରେ ମନ୍ତବ୍ୟ ଦେବା ବେଳେ ନୂପୁର ଶର୍ମା ସତକଥା କହିଛନ୍ତି ବୋଲି କହିବା ସହ ସେ ଇସ୍ଲାମୀୟ ଦେଶମାନଙ୍କର କ୍ରୋଧକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ଆଉ ଏକ ଟୁଇଟ୍ରେ ସେ କହିଛନ୍ତି, ତୁଷ୍ଟିକରଣ କଦାପି ଫଳପ୍ରଦ ହୁଏନାହିଁ। ଏହାଦ୍ବାରା ପରିସ୍ଥିତି ଅଧିକ ବିଗିଡ଼ି ଯାଏ। ତେଣୁ, ହେ ମୋର ପ୍ରିୟ ଭାରତୀୟ ବନ୍ଧୁଗଣ, ଇସ୍ଲାମୀୟ ଦେଶମାନଙ୍କୁ ଡରନ୍ତୁ ନାହିଁ। ସ୍ବାଧୀନତା ପାଇଁ ସଂଗ୍ରାମ କରନ୍ତୁ ଏବଂ ଆପଣଙ୍କ ରାଜନେତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଗର୍ବିତ ଓ ବିଶ୍ବସ୍ତ ହୁଅନ୍ତୁ। ପ୍ରତିବାଦକାରୀ ଦେଶମାନଙ୍କୁ ଛଳନାକାରୀ କହି ସେ କହିଛନ୍ତି ଯେ, ସେମାନଙ୍କର ଗଣତନ୍ତ୍ର, ଆଇନର ଶାସନ ଅଥବା ସ୍ବାଧୀନତା ନାହିଁ। ସେମାନେ ସଂଖ୍ୟଲଘୁମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ମାନବ ଅଧିକାରକୁ ଏଭଳି ଅସମ୍ମାନ କରୁଛନ୍ତି ଯାହା ଅନ୍ୟ କେଉଁଠି କରାଯାଉନାହିଁ।





