୨୧ରୁ ୩ ଦିନ ଧରି ଚିଲିକାରେ ହେବ ଡଲଫିନ୍‌ ଗଣନା

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା। ୨୦ ତାରିଖରେ ତାଲିମ ସରିବା ପରେ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଏହି ଗଣନା କରାଯିବ । ପ୍ରଥମ ଦିନ ବନ ବିଭାଗ, ସିଡିଏ, ଡଲଫିନ ବିଶେଷଜ୍ଞ, ମୋଟର ବୋଟ ସଂଘର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଏହି ଗଣନାରେ ଅଂଶଗ୍ରହଣ କରିବେ । ୨୨ ଓ ୨୩ ତାରିଖ ଦୁଇ ଦିନ କେବଳ ବନ ବିଭାଗ ଓ ସିଡିଏ ଗଣନାରେ ସାମିଲ ହେବେ ।ସମଗ୍ର ଚିଲିକାର ୫ଟି ରେଞ୍ଜରେ ଏହି ଗଣନା ହେବ । ସେହିଭଳି ପୁରୀ ସମୁଦ୍ର ଉପକୂଳରେ ମଧ୍ୟ ଗଣନା କରାଯିବ ।

ଅସ୍ତରଙ୍ଗର ଦେବୀ ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଗୋଟିଏ ଟିମ, ଚନ୍ଦ୍ରଭାଗାଠାରୁ ପୁରୀ ମଙ୍ଗଳା ନଈ ମୁହାଣ ଏବଂ ମଙ୍ଗଳା ନଈ ମୁହାଣଠାରୁ ବାଲିହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ତିନୋଟି ଟିମ ଗଣନାରେ ସାମିଲ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତବର୍ଷ ଚିଲିକାରେ ୧୬୨ଟି ଡଲଫିନ ଦେଖା ଯାଇଥିବାବେଳେ ପୁରୀ ଉପକୂଳ ସମୂଦ୍ରରେ ଦୁଇଟି ଟିମ ଆଦୌ ଡଲଫିନ ଦେଖି ପାରି ନଥିଲା ।

Related Posts