15 ବର୍ଷ ଧରି ଖୋଜୁଥିଲା ସାରା ଦେଶର ପୋଲିସ୍‌,ସେନେଗାଲ୍‌ରୁ ଧରାପଡ଼ିଲା ଅଣ୍ଡରୱାର୍ଲଡ୍‌ ଡନ୍‌ ରବି ପୂଜାରୀ

ସେ 15 ବର୍ଷ ଧରି ଥିଲା ଫେରାର୍‌ । ନେତାଙ୍କଠାରୁ ନେଇ ଅଭିନେତାଙ୍କ ଯାଏଁ ସମସ୍ତଙ୍କୁ ସେ ନାକରେ ପାଣି ଭର୍ତ୍ତି କରି ରଖିଥିଲା । ତାକୁ ଖୋଜୁଥିଲା ପୋଲିସ୍‌, ସାରା ଦେଶର ସୁରକ୍ଷା ଏଜେନ୍ସୀ ତାକୁ ତଲାସ୍‌ କରୁଥିଲେ । ଆଉ ଶେଷରେ ପୋଲିସ୍‌ ହାବୁଡ଼ରେ ପଡ଼ିଛି ମାଫିଆ ଡନ୍‌ ରବି ପୂଜାରୀ । ଆଫ୍ରିକୀୟ ଦେଶ ସେନେଗଲ୍‌ରୁ ତାକୁ ଗିରଫ କରାଯାଇଛି ।

ଦେଢ଼ ଦଶକର ଲୁଚା ଛପା ପରେ ଶେଷରେ ଧରାପଡ଼ିଲା ଅଣ୍ଡରୱାର୍ଲଡ୍‌ ଡନ୍‌ ରବି ପୂଜାରୀ । ଆଫ୍ରିକୀୟ ସେନେଗାଲରେ ଶେଷ ହେଲା ଏହି ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀକୁ ପୋଲିସର ସନ୍ଧାନ, ଯେଉଁଠାରେ ଭାରତୀୟ ଏଜେନ୍ସିଙ୍କ ଇନପୁଟ୍‌ ପାଇ ପୂଜାରୀକୁ ଗିରଫ କଲା ପୋଲିସ୍‌ ।

15 ବର୍ଷ ହେଲା ଫେରାର୍‌ ଥିବା ପୂଜାରୀ ଉପରେ ହତ୍ୟା, ଅପହରଣ, ଷଡ଼ଯନ୍ତ୍ର, ଦାଦା ବଟି ଆଦାୟ ସମେତ ବହୁ ସଂଗୀନ ଅପରାଧର ଅଭିଯୋଗ ରହିଛି । ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେନେଗାଲ୍‌ରେ ମହାରାଜା ନାମକ ରେସ୍ତୋରାଁ ଚଳାଉଥିଲା ରବି ପୂଜାରୀ । ଏଥିସହ ମୁମ୍ବାଇ ଓ ଭାରତର ଅନ୍ୟ ସହରରେ ବଟି ଆଦାୟ ପାଇଁ ଫୋନ୍‌ କରୁଥିଲା ।

ଗତ ବର୍ଷ ଜେଏନ୍‌ୟୁ ନେତା ଉମର ଖାଲିଦ, ଶହଲା ରସିଦ ଓ ଗୁଜରାଟର ବିଧାୟକ ଜିଗ୍ନେଶ ମେୱାଣିଙ୍କୁ ପୂଜାରୀ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏତିକି ନୁହେଁ ପୂଜାରୀ ହୁରିୟତ ନେତା ସୟଦ ଅଲୀ ଶାହ ଗିଲାନୀ ସମେତ ଦେଶ ବିରୋଧରେ କାମ କରୁଥିବା ଲୋକଙ୍କୁ ବି ଧମକ ଦେଉଥିଲା ।

ଅଣ୍ଡରୱାର୍ଲଡ୍‌ ଦୁନିଆରେ ରବି ପୂଜାରୀ ଥିଲା ଏକ ବିପଦ ନାଁ । ମୁମ୍ବାଇରେ ତା’ର ନାଁରେ ହିଁ ସୃଷ୍ଟି ହେଉଥିଲା ଆତଙ୍କ । ତା’ର କ୍ରିମିନାଲ୍‌ ରେକର୍ଡ ଦେଖିଲେ, ପୂଜାରୀ ମୂଳତଃ ମାଙ୍ଗାଲୋରର ପଦବ୍ରିଦ୍ରିର ବାସିନ୍ଦା । ସେ ଅନର୍ଗଳ ଇଂରାଜୀ ଓ କନ୍ନଡ଼ କହିପାରେ । ସେ ଛୋଟା ରାଜନକୁ ନିଜର ଓସ୍ତାଦ ମାନୁଥିଲା । ଉଭୟ ଦାଉଦ୍‌ ପାଇଁ କାମ କରୁଥିଲେ । କିନ୍ତୁ 2001ରେ ଉଭୟ ଅଲଗା ହୋଇଯାଇଥିଲେ ।

ପୂଜାରୀ ଉପରେ ଅଭିଯୋଗ ରହିଛି ଯେ ସେ 2009ରୁ 2013 ଭିତରେ ବଲିଉଡ୍‌ ତାରକାଙ୍କଠାରୁ ବଟି ଆଦାୟ କରୁଥିଲା । ପୂଜାରୀ ଉପରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ହତ୍ୟା ପାଇଁ ଦୁଇ ଥର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ରହିଛି । ସେହିପରି ମୋରାନୀ ଭାଇଙ୍କୁ ବି ହତ୍ୟାର ଷଡ଼ଯନ୍ତ୍ର କରିବାର ଅଭିଯୋଗ ରହିଛି ରବି ପୂଜାରୀ ଉପରେ ।

ପୂଜାରୀ ଉପରେ ରହିଛି ବହୁ ଅଭିଯୋଗ । ତାକୁ ଭାରତ ଅଣାଯାଇ ବି ପଚରାଉଚୁରା କରାଯିବ । ରବି ପୂଜାରୀ ବାବଦରେ କୁହାଯାଉଥିଲା ଯେ ସେ ଅଷ୍ଟ୍ରେଲିଆରେ ଲୁଚିଛି । ତେବେ ଏହି ଆଶଙ୍କା ଭୁଲ ପ୍ରମାଣିତ ହେଲା । କିନ୍ତୁ ଏବେ ତା’ର ଗିରଫଦାରୀ ଓ ଭାରତ ପ୍ରତ୍ୟର୍ପଣ ଫଳରେ ପୋଲିସ୍‌ ବହୁ ମାମଲାରେ ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରି ତା’ର ସମାଧାନ କରିପାରିବ ।

Related Posts