୨୭ କୋଟିର ହୀରା ଚୋରି, ଧରାପଡ଼ିଲେ ୭ ଜଣ

ପ୍ରାୟ ୨୭ କୋଟି ଟଙ୍କା ମୂଲ୍ୟର ହୀରା ଚୋରି କରିବା ଅଭିଯୋଗରେ ଜଣେ ଏଜେଣ୍ଟଙ୍କ ସମେତ 7 ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍‌ । ମୁମ୍ବାଇର ପ୍ରାୟ 25 ଜଣ ହୀରା ବ୍ୟବସାୟୀଙ୍କଠାରୁ ଲୁଟେରାମାନେ ଗତ ବର୍ଷ ଡିସେମ୍ବର ମାସରେ ହୀରା ଚୋରି କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ ଯତୀଶ ପଚାରିୟା ନାମକ ଜଣେ ଏଜେଣ୍ଟ ଓ ତା’ର ସହଯୋଗୀ ମାନେ ହୀରା ବିକ୍ରି କରିବା କଥା କହି ବ୍ୟବସାୟୀଙ୍କଠାରୁ ହୀରା ନେଇଥିଲେ । ତା’ପରେ ସେମାନେ କୁଆଡ଼େ ଫେରାର୍‌ ହୋଇଯାଇଥିଲେ । ହୀରା ବ୍ୟବସାୟୀଙ୍କଠାରୁ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୋଲିସ୍‌ ।

ଏଜେଣ୍ଟ ଯତୀଶ ମୁମ୍ବାଇ ଛାଡ଼ି ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର ଓ ରାଜସ୍ଥାନର କେତେକ ସ୍ଥାନରେ ରହୁଥିବା ସୂଚନା ମିଳିଥିଲା । ଯତୀଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ବି ସାଧୁ ଭାବେ ରହୁଥିଲା ପୋଲିସ୍‌ ଖବର ପାଇଥିଲା । କିନ୍ତୁ ସେ ବ୍ୟବସାୟୀମାନଙ୍କଠାରୁ ନେଇଥିବା ହୀରା ବିକ୍ରି କରିପାରିଲା ନାହିଁ । ଆଉ ଶେଷରେ ସେ ପୁଣି ଥରେ ମୁମ୍ବାଇକୁ ଫେରିଥିଲା ।

ସେଠାରେ ତାକୁ ଧରିବା ପାଇଁ ଜାଲ ବିଛାଇଲା ପୋଲିସ୍‌ । ଆଉ ଶେଷରେ ସେ ସେହି ଜାଲରେ ଧରାପଡ଼ିଲା । ପ୍ରଥମେ ଯତୀଶ ଓ ପରେ ତା’ର ସହଯୋଗୀମାନଙ୍କୁ ଧରିଲା ପୋଲିସ୍‌ । ପୋଲିସ ସେମାନଙ୍କଠାରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ଚୋରି ହୀରା ଜବତ କରିଛି ।

Related Posts