ଟ୍ୱିନ ସିଟିର ବାର ଗୁଡ଼ିକରେ ବାଉନ୍ସରର ନିଯୁକ୍ତିକୁ ବାରଣ କଲେ କମିଶନରେଟ ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଟ୍ୱିନ ସିଟିର ବାରଗୁଡ଼ିକରେ ବାଉନ୍ସର ନିଯୁକ୍ତି ମନା । କାହିଁକିନା ସୁରକ୍ଷାକର୍ମୀମାନଙ୍କ ନାମରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ଏହା ସହ ବାଉନ୍‌ସରମାନଙ୍କଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର‌୍ୟ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାର ମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ସେପଟେ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିମାନଙ୍କଠାରୁ ବାର୍‌ମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ ।

ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାର୍‌ମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ । ଆବଶ୍ୟକସ୍ଥଳେ ୧୧୨ ନମ୍ବରକୁ କଲକରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ । କୌଣସି ପରିସ୍ଥିତିରେ ମଧ୍ୟ ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ । ତା.୧୧/୦୩.୨୦୨୨ରିଖଠାରୁ ତା.୦୯.୦୫.୨୦୨୨ରିଖ ପର‌୍ୟ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଦେ୍ୱର୍ତନଗରୀ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Related Posts