ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ୪ ଗ୍ରାମ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ବ୍ରହ୍ମପୁର ସହରତଳି ଲୋଚାପଡା ପଞ୍ଚାୟତ ଲୋଚାପଡା ଗ୍ରାମ ସମେତ ୪ଟି ଗ୍ରାମ ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦୦୮ ବିଜ୍ଞପ୍ତି ଅନୁସାରେ ବ୍ରହ୍ମପୁର ସନ୍ନିକଟ ଅଞ୍ଚଳ ତଥା ସହର ପାର୍ଶ୍ଵବର୍ତ୍ତୀ ୧୮ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମ ଗଠନ କରିବା ଦାବି ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବି କରାଯାଉଥିଲେ ମଧ୍ୟ ସରକାର ତାହା ପୂରଣ କରିପାରିନଥିଲେ । ଇତିମଧ୍ୟରେ ତିନୋଟି ନିର୍ବାଚନ ହୋଇଯାଇଥିଲେ ମଧ୍ୟ ସହରତଳି ଅଞ୍ଚଳ ସାମିଲ ନେଇ କୌଣସି ନୀତି ସ୍ପଷ୍ଟ ହୋଇନଥିଲା ।

ଏନେଇ ସ୍ଥାନୀୟ ବ୍ୟକ୍ତି ବିଶେଷ ରାଜନୈତିକ, ସାମାଜିକ ଓ ପ୍ରଶାସନିକ ସ୍ତରରେ ଆନ୍ଦୋଳନ କରିବା ସହ ଲଢେଇ କରି ବିଫଳ ହେବା ପରେ ବାଧ୍ୟ ହୋଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ରିଟ ଯାଚିକା ଦାଖଲ କରାଯାଇଥିଲା । ଗତ ନଭେମ୍ବର ୨୦୨୧ରେ ଉକ୍ତ ଦାଖଲ ଯାଚିକାର ବିଚାର କରି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକ ପୌର ପ୍ରଶାସନଙ୍କୁ ମହାନଗର ନିଗମରେ ସାମିଲ ସକାଶେ ସଂକଳ୍ପ ପାସ୍ କରିଥିଲେ । କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡା ଗ୍ରାମ ପଞ୍ଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ତିନୋଟି ଗ୍ରାମକୁ ତିନି ମାସ ମଧ୍ୟରେ ସାମିଲ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସରକାର ତିନି ମାସ ମଧ୍ୟରେ ପଦକ୍ଷେପ ନେବାରେ ବିଫଳ ରହିବାରୁ କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ ଅଗଷ୍ଟ ମାସରେ ନିର୍ଦ୍ଦେଶକ ପୌର ପ୍ରଶାସନ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା ।

ଅଦାଲତ ଅବମାନନା ଯାଚିକାର ବିଚାର କରି ହାଇକୋର୍ଟ ନିର୍ଦ୍ଦେଶକ ପୌର ପ୍ରଶାସକଙ୍କୁ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ଏକ ମାସ ସମୟ ଦେଇଥିଲେ । ସେହି ଏକ ମାସ ସମୟ ସୀମା ଗୁରୁବାର ସମାପ୍ତ ହୋଇ ଯାଇଥିବାରୁ ଗତ ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଯାଇ ଲୋଚପଡା ଗ୍ରାମ ପଞ୍ଚାୟତ ସହ ବଡ଼ କୁଶସ୍ଥଳି ପଞ୍ଚାୟତର ସାନ କୁଶସ୍ଥଳି ଗ୍ରାମ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲୀ ଗ୍ରାମ ଏବଂ ଗୋଳବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲକୁ ମିଶାଇବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏନେଇ ୩୦ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ଆହ୍ଵାନ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରି ସହର ତଳି ଅଞ୍ଚଳ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରିଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି ।

କମିଟି ଆଶା ରଖିଛି ଯେ, ସରକାର ନିଜ ଦୂରଦୃଷ୍ଟିତା ଓ ବିଜ୍ଞତାର ପରିଚୟ ଦେଇ କମିଟିର ମୂଳ ଦାବି ଅନୁଯାୟୀ ସମସ୍ତ ୧୮ଟି ପଞ୍ଚାୟତକୁ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମରେ ପରିଣତ କରିବାକୁ ପଦକ୍ଷେପ ନେବେ । ଏପରି ହେଲେ ହିଁ ବ୍ରହ୍ମପୁର ମହାନଗର ନିଗମ ସହ ସହର ତଳି ଅଞ୍ଚଳର ଦ୍ରୁତ ବିକାଶ ହେଇପାରିବ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଉନ୍ନୟନ କାମ ନିମନ୍ତେ ପ୍ରଚୁର ଆର୍ଥିକ ଅନୁଦାନ ଆକାରରେ ମିଳିପାରିବ ।

ହାଇକୋର୍ଟଙ୍କ ଏହି ରାୟ ସରକାରଙ୍କୁ ବଳ ଦେବା ସହ ସମସ୍ତ ବାଧା ବିଘ୍ନ ହଟାଇବାରେ ସାହାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ବାଟ ଫିଟିବ ବୋଲି କୁହାଯାଇଛି । ଏଥିନିମନ୍ତେ ଜନ ପ୍ରତିନିଧିଙ୍କ ଭୂମିକା ଏବଂ ଜନ ସାଧାରଣଙ୍କ ସହଯୋଗ ସୁନ୍ଦର ଓ ସମୃଦ୍ଧଶାଳୀ ମହାନଗର ନିଗମ ଗଠନ ନିମନ୍ତେ ନିତାନ୍ତ ଆବଶ୍ୟକ ରହିଛି ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ସମସ୍ତ ସହର ତଳି ଅଞ୍ଚଳ ମିଶ୍ରଣ ପର୍ଯ୍ୟନ୍ତ କମିଟିର ଲଢେଇ ଜାରି ରହିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts