(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ହେଲମେଟ୍ ଚେକିଂରୁ ମହାଭାରତ। କେନ୍ଦ୍ରାପଡ଼ା ପୁଲିସ ନାଁ ରେ ଦବଙ୍ଗଗିରି ଅଭିଯୋଗ । ହେଲମେଟ୍ କାହିଁ ବୋଲି ପଚାରିବାରୁ ହାତାହାତି ହୋଇଗଲେ ପୁଲିସ୍ ଓ ବାଇକ୍ ଚାଳକ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଉପକଣ୍ଠ ତିନିମୁହାଣି ଛକଠାରେ ପୁଲିସ ଫୋର୍ସ ବିଚ୍ ରାସ୍ତାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏମିତିକି ବିଚ୍ ରାସ୍ତା ଉପରେ ଗାଡି ଚାଳକଙ୍କୁ ପୁଲିସ ମନଇଚ୍ଛା ପିଟିବା ପରେ ଗିରଫ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ପୁଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଉପରେ ଆଗ ଆକ୍ରମଣ କରିଥିଲା।
ମିଳିଥିବା ସୂଚନା ମୁତାବକ , କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର ବଉଳବିହାରରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଂଜନ ରାଉତ ସପତ୍ନୀକ ଗତ କାଲି ରାତିରେ କେନ୍ଦ୍ରାପଡ଼ା ସହର ଆସୁଥିବା ବାଟରେ ବିଭିନ୍ନ ସ୍ଥାନରେ ମାସ୍କ, ଡିଏଲ୍, ହେଲମେଟ୍ ଚେକିଂ ହେଉଥିଲା । ଏବଂ ତାଙ୍କ ପାଖରେ ଏ ସବୁ ନଥିବାରୁ ଜରିମାନା ମଧ୍ୟ ଦେଇଥିଲେ । କିନ୍ତୁ ତିନିମୁହାଣି ନିକଟରେ ଟାଉନ ପୁଲିସ୍ ଚେକିଂ କରୁଥିବା ବେଳେ ତାଙ୍କୁ ପୁଣି ଥରେ ଜୋରିମାନା ଭରିବାକୁ କହିଥିଲେ । ଶ୍ରୀ ରାଉତ ପୂର୍ବରୁ ଜରିମାନା ବାବଦକୁ କାଟିଥିବା ରସିଦ୍ ଦେଖାଇଥିଲେ ବି ତାଙ୍କ ପୁଣି ଥରେ ଜୋରିମାନା ଦେବାକୁ କୁହାଯାଇଥିଲା । କିନ୍ତୁ ସେ ଏହାର ବିରୋଧ କରିଥିଲେ। ଫଳରେ ପୁଲିସ ଓ ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କାହିଁକି ବିରୋଧ କଲ ବୋଲି କହି ମିଳିତ ଭାବରେ ପୁଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ପୋଲିସ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା ।
ଏହା ପରେ ପୁଲିସ ତାଙ୍କୁ ଗିରଫ କରିବା ସହ ସ୍କୁଟିକୁ ଜବତ କରିଥିବା ନେଇ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶ୍ରୀ ରାଉତଙ୍କ ପତ୍ନୀ ରଞ୍ଜିତା ତାଙ୍କ ପତୀଙ୍କୁ ଛାଡ଼ି ଦେବା ପାଇଁ ଯେତେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ତାଙ୍କ କଥା ନଶୁଣି ତାଙ୍କୁ ନିର୍ମମ ଭାବେ ପିଟିଥିବା ନେଇ ରଂଜିତା ଅଭିଯୋଗ କରିଛନ୍ତି । ଟାଉନ୍ ପୁଲିସ ଏସ୍ଆଇ ପ୍ରଜ୍ଞା ନାୟକଙ୍କ ଅଭିଯୋଗ ଯେ ସମ୍ପୃକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଟ୍ରାଫିକ ଆଇନ ଖିଲାପ୍ କରିଥିଲେ । ଜରିମାନା ଦେବାକୁ କହିବାରୁ ପୁଲିସ ସହ ଯୁକ୍ତିତର୍କ କରିବା ସହ ଓଲଟା ମାଡ଼ ମାରିଥିବା ନେଇ ପୋଲିସ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । କେନ୍ଦ୍ରାପଡ଼ା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଟାଉନ୍ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝାବୁଝି କରିଛନ୍ତି ।