(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଗତ କାଲି ହାତ କାଟିବା ସହ ବିଷ ପିଇଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ଏଭଳି ତରବରିଆ ପଦକ୍ଷେପକୁ ନେଇ ଦୁଷ୍ମନ୍ତଙ୍କ ଗାଁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କାଲି ବିଳମ୍ବିତ ରାତିରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାତି ଅଧରେ ଏସସିବି ମେଡିକାଲ ପୋଷ୍ଟମର୍ଟମ ଗୃହ ଖୋଲାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଥିଲା। ମୃତଦେହକୁ ପୋଲିସ ତାଙ୍କ ପରିବାର ଲୋକଙ୍କ ସହ ଏସକର୍ଟ କରି ନେଇଥିଲେ। ତେବେ ମଧ୍ୟରାତ୍ରରେ କାହିଁକି ଏମିତି ପୋଷ୍ଟମର୍ଟମ କରାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ସୂଚନା ମୁତାବକ, ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକି ୩/୪ ଘଣ୍ଟା ଧରି ପୋଷ୍ଟମର୍ଟମ କରାଗଲା। ଏବଂ ତାଙ୍କ ଗାଁର କିଛି ମୁରବୀ ଓ ତାଙ୍କ ମା’, ପତ୍ନୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସ ଏସକର୍ଟ କରି ତାଙ୍କ ଶବକୁ ଗାଁ କୁ ପଠାଇ ଦିଆଯାଇଥିଲା। ତେବେ କାହିଁକି ରାତି ଅଧିଆ ପୋଷ୍ଟମର୍ଟମ କରାଗଲା ଏବଂ ପୋଲିସ ଏସକର୍ଟରେ କାହିଁକି ନିଆଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଅପରପକ୍ଷରେ ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଏସସିବି ଡାକ୍ତର ତାଙ୍କୁ ତଡ଼ି ଦେଉଥିବା ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତା। କିନ୍ତୁ ଏସସିବି କର୍ତ୍ତୃପକ୍ଷ କହିଛନ୍ତି ଯେ ତାଙ୍କୁ ଉନ୍ନତ ମାନର ଚିକିତ୍ସା ସହ ସବୁ ସୁବିଧା ମାଗଣାରେ ଦିଆଯାଉଥିଲା ।
ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ,” ୨୦୨୦ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ତାଙ୍କର ଅପରେସନ୍ କରିଥିଲେ। ଅସ୍ତ୍ରୋପଚାର ଠିକ୍ ଥିଲା ଏବଂ ତାଙ୍କୁ ଫିଜିଓଥେରାପୀ ପାଇଁ କୁହାଯାଇଥିଲା। ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆହତ ଗୋଡ଼ ବି ଆର ଗୋଡ଼ ଭଳି ଠିକ୍ ହୋଇଯାଉ। ଫିଜିଓଥେରାପୀରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥାଆନ୍ତା। ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍ସ ରେଫର କରାଯାଇଥିଲା । ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ।”