ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାମିଲନାଡୁର ଥିରୁଭରୁର୍‌ ଅଞ୍ଚଳରେ ଜଣେ ସନ୍ୟାସୀ ହାତରେ ବନ୍ଧୁକ ଧରି ବ୍ୟାଙ୍କ୍‌ରେ ପହଞ୍ଚିଥିବା ଦୃଶ୍ୟ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସନ୍ୟାସୀ ଜଣକ ବନ୍ଧୁକ ଧରି ବ୍ୟାଙ୍କ୍‌କୁ ଯିବାର କାରଣ ଜାଣି ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ଜାଣିବାକୁ ମିଳିଛି ଯେ ତାଙ୍କୁ ବ୍ୟାଙ୍କ୍‌ ଲୋନ୍‌ ନଦେବାରୁ ସେ ସେ ବନ୍ଧୁକ ଧରି ବ୍ୟାଙ୍କ୍‌ରେ ପହଞ୍ଚି ବ୍ୟାଙ୍କ୍‌ ଲୁଟ୍‌ କରିବାର ଧମକ ଦେଇଛନ୍ତି। ଏହି ସନ୍ୟାସୀ ଜଣଙ୍କୁ ସେ ସମୟରେ ଫେସ୍‌ବୁକ୍‌ ଲାଇଭ୍‌ରେ ଦେଖିବାକୁ ମିଳିଥିଲା, ଯାହା ଏବେ ଖୁବ୍ ଭଇରାଲ ହେବାରେ ଲାଗିଛି। ଏହି ସନ୍ୟାସୀ ଜଣଙ୍କର ପରିଚୟ ମଧ୍ୟ ମିଳିଛି, ସେ ହେଉଛନ୍ତି ଥରୁମଲାଇ ସାମି। ସେ ଥିରୁଭରୁର୍‌ ଜିଲ୍ଲାର ମୁଲଙ୍ଗୁଡ଼ି ଗ୍ରାମରେ ଇଡି-ମିନାଲ୍‌ ସଙ୍ଗମମ୍‌ଙ୍କୁ ଚଳାନ୍ତି।

ସୂଚନା ଅନୁସାରେ, ସେ ଚାଇନାରେ ମେଡିସିନ୍‌ ଡ୍ରିଗ୍ରି ପାଇଁ ପାଠ ପଢୁଥିବା ତାଙ୍କ ଝିଅ ପାଇଁ ଏକ ବେସରକାରୀ ବ୍ୟାଙ୍କ୍‌ରେ ଋଣ ଆବେଦନ କରିଥିଲେ। ମାତ୍ର ବ୍ୟାଙ୍କ୍‌ ଋଣ ନଦେବାରୁ ସେ ଏପରି କରିଥିବା ଜଣା ପଡ଼ିଛି। ସନ୍ୟାସୀ ଜଣକ ବ୍ୟାଙ୍କ୍‌ରେ ଋଣ ଆବେଦନ କରିବାରୁ ବ୍ୟାଙ୍କ୍‌ ତାଙ୍କୁ ବନ୍ଧକ ରଖିବା ପାଇଁ ତାଙ୍କ ସଂପତ୍ତିର କାଗଜପତ୍ର ମାଗିଥିଲା। ମାତ୍ର ଏହାକୁ ବିରୋଧ କରି ସନ୍ୟାସୀ ଜଣକ କହିଥିଲେ ଯେ ସେ ଯେତେବେଳେ ସୁଦ୍ଧ ସହ ଟଙ୍କା ଫେରସ୍ତ କରିବେ ବୋଲି କହୁଛନ୍ତି ତ ବ୍ୟାଙ୍କ୍‌ ତାଙ୍କୁ କାହିଁକି ସଂପତ୍ତିର କାଗଜପତ୍ର ମାଗୁଛି। ବହୁ ଯୁକ୍ତିତର୍କ ପରେ ବ୍ୟାଙ୍କ୍‌ ଅଧିକାରୀ ତାଙ୍କୁ ଫେରିଯିବାକୁ କହିଥିଲେ। ସନ୍ୟାସୀ ଜଣକ ତା’ପରେ ନିଜ ଘରକୁ ଯାଇ ଏକ ବନ୍ଧୁକ ଧରି ପୁଣି ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ୍‌ ଲୁଟ୍‌ କରିବାକୁ ଧମକ ଦେଇଥିଲେ।