‘ଦେଶରେ ସାରର ଘୋର ଅଭାବ ରହିଛି’; ଜୟନାରାୟଣଙ୍କ ସାର ସିଞ୍ଚନ ମନ୍ତବ୍ୟକୁ ନେଇ କଟାକ୍ଷ କଲେ ଲେନିନ୍ ମହାନ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନ ପୂର୍ବରୁ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏସବୁ ଭିତରେ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ଏନେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଜୟ ନାରାୟଣଙ୍କୁ କାଉଣ୍ଟର କରିଛନ୍ତି ।

ଲେନିନ୍ କହିଛନ୍ତି, ‘ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଭଲ ଭାବେ ଜାଣିଛନ୍ତି ଦେଶରେ ସାରର ଘୋର ଅଭାବ ରହିଛି । ଏପରିକି ରାଜ୍ୟକୁ ମିଳିବାକୁ ଥିବା କୋଟା ଅନୁସାରେ କେନ୍ଦ୍ର ସାର ଯୋଗାଇ ପାରୁ ନାହାନ୍ତି । ପ୍ରଥମେ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଣ ନେଇ ଜୟ ନାରାୟଣ ମିଶ୍ର ଆଶ୍ୱସନା ଦିଅନ୍ତୁ ଏବଂ ତା’ପରେ ନିଜ ବ୍ୟବହାର କଥା ଭାବିବେ।’ ଲେନିନ ଆହୁରି କଟାକ୍ଷ କରି କହିଛନ୍ତି ଯେ, ‘ଚାଷ (ନିର୍ବାଚନ)କୁ ଆହୁରି ବର୍ଷେରୁ ଅଧିକ ସମୟ ବାକି ଅଛି । ଆମେ ଦେଖିଛୁ ଭୁବନେଶ୍ୱର ସାଂସଦ ବନ୍ୟା ସମୟରେ ଚାଷ ଆରମ୍ଭ କରିଛନ୍ତି । ଆଶା କରୁଛୁ ଜୟ ନାରାୟଣ ମଧ୍ୟ ସେଭଳି ରାସ୍ତାରେ ଯାଇ କିଛି କରିବେ ନାହିଁ ।’

ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟ ନାରାୟଣ ମିଶ୍ର କହିଥିଲେ କି, ଆମେ ଏବେ ରାଜ୍ୟରେ ସାର ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରିଛୁ। ୨୦୨୪ରେ ଆମେ ଫସଲ ଅମଳ କରିବୁ। ଯେହେତୁ ଫଳ ଧରିନି, ତେଣୁ ଏବେ ଦେଖାଯାଉନି। ଏକାଦିନେ ସବୁ କାମ ହୁଏନି, ସେଥିପାଇଁ ପ୍ରକ୍ରିୟା ଚାଲିଛି । ୨୦୨୪ ରେ ଆମେ ବିଜେଡି ସହ ଲଢ଼ିବୁ ଓ ରାଜ୍ୟରେ ସରକାର ଗଢ଼ିବୁ ବୋଲି ସେ କହିଥିଲେ।

Related Posts