କୋଭିଡ୍ ମହାମାରୀ ଯୋଗୁଁ ଚଳିତ ବର୍ଷ ବଢ଼ିବନି ଯୁକ୍ତ ୨ ନାମଲେଖା ଫି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହାମାରୀକୁ ଯୋଗୁଁ ଚଳିତ ଶିକ୍ଷା ବର୍ଷ (୨୦୨୧-୨୨) ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ନାମଲେଖା ଫି’ ବୃଦ୍ଧି କରାଯିବ ନାହିଁ। ଅନ୍ୟ ପକ୍ଷରେ ସେଲ୍ଫ ଫାଇନାନ୍ସିଂ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପୂର୍ବବର୍ଷର ଫି’ ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କଠାରୁ ନାମଲେଖା ଫି’ ଆଦାୟ କରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା କାଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅର୍ଥ ଚାପରୁ ମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅପରପକ୍ଷରେ ନାମଲେଖା ପାଇଁ ଚୂଡ଼ାନ୍ତ ସିଟ୍‌ ତାଲିକା ପ୍ରକାଶ କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର ମୋଟ ୪ଲକ୍ଷ ୯୯ ହଜାର ୧୨୩ ସିଟ୍‌ରେ ଚଳିତବର୍ଷ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୭୬ ହଜାର ୨୭୪ ସିଟ୍‌, ବିଜ୍ଞାନରେ ୧ ଲକ୍ଷ ୫୪ ହଜାର ୧୯୩, ବାଣିଜ୍ୟରେ ୪୫ହଜାର ୪୪, ସଂସ୍କୃତରେ ୧୩ ହଜାର ୨୦୪, ଧନ୍ଦାମୂଳକ ବିଭାଗର ୧୦ ହଜାର ୪୦୮ ସିଟ୍‌ରେ ନାମଲେଖା କରାଯିବ। ନାମ ଲେଖାଇବା ପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନେ ସାମସ୍ ଜରିଆରେ ନାମ ଲେଖାଇପାରିବେ। ତେବେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ହଜାର ୬୩୪ ସିଟ୍‌ରେ ଆଡମିସନ ହେବାକୁ ଯାଉଥିବା ବେଳେ ସେଥିମଧ୍ୟରୁ କଳାରେ ୨୦ ହଜାର ୭୯୭, ବିଜ୍ଞାନରେ ୧୫ ହଜାର ୬୪୯, ବାଣିଜ୍ୟରେ ୪୨୦୮ ସିଟ୍‌ ରହିଛି।

ସେହିପରି ଖୋର୍ଧା ଜିଲ୍ଲାରେ ୪୦ ହଜାର ୧୫୨ ସିଟ୍‌ ରେ ନାମଲେଖା ହେବାକୁ ଥିବା ବେଳେ ସେଥି ମଧ୍ୟରେ କଳାରେ ୧୫ହଜାର ୮୨୦, ବିଜ୍ଞାନରେ ୧୮ ହଜାର ୫୪୪, ବାଣିଜ୍ୟରେ ୪ ହଜାର ୨୫୬ ସିଟ୍‌ ରହିଛି। ସେହିପରି କଟକରେ ୩୬ ହଜାର ୯୭୮, ବାଲେଶ୍ବରରେ ୩୪ ହଜାର ୩୭୨, ମୟୂରଭଞ୍ଜରେ ୨୯ ହଜାର ୧୯୪, ପୁରୀରେ ୨୪ ହଜାର ୧୯୩, ସୁନ୍ଦରଗଡ଼ରେ ୨୨ ହଜାର ୨୨୬ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୦ ହଜାର ୪୪୯ ସିଟ୍‌ରେ ନାମଲେଖା ହେବ।

ତେବେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ନେଇ ପ୍ରଚାର କରୁଥିବା ବେଳେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଧନ୍ଦାମୂଳକ ଶିକ୍ଷା ପାଇଁ ବ୍ୟବସ୍ଥା ନଥିବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଜିଲ୍ଲାରେ ମୋଟ ୨୦ଟି କଲେଜ ରହିଥିବା ବେଳେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ବିଭାଗ ଖୋଲାଯାଇ ନାହିଁ। ଅନ୍ୟ ପକ୍ଷରେ ଦେବଗଡ଼ରେ ସର୍ବନିମ୍ନ ୨୬୪୦ ସିଟ୍‌ରେ ନାମଲେଖା ହେବ ଏବଂ ୯ଟି ଜିଲ୍ଲାରେ ଗୋଟିଏ ବି ସଂସ୍କୃତ କଲେଜ ନ ଥିବା ଜଣାପଡିଛି।

ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ସହରାଞ୍ଚଳରେ ପାଠପଢିବାକୁ ଆଗ୍ରହ ପ୍ରକାଶ କରୁଥିବା କାରଣରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ପରି ସହରର କଲେଜଗୁଡ଼ିକ ଚଳିତ ଶିକ୍ଷାବର୍ଷ ପାଇଁ ସିଟ୍‌ ସଂଖ୍ୟା ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ ଯୁକ୍ତ୨ ନାମଲେଖା ପାଇଁ ସେପ୍ଟେମ୍ବର ୫ରେ ଆବେଦନ ଶେଷ ହେବ। ଇତିମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦେଶର ଆଉ ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶର ଅମରାବତୀ ମାଧ୍ୟମିକ ଶିକ୍ଷା ବୋର୍ଡ, ମୁକ୍ତ ସ୍କୁଲ ଶିକ୍ଷା ବୋର୍ଡ, ହାଇଦ୍ରାବାଦ ମାଧ୍ୟମିକ ଶିକ୍ଷା ବୋର୍ଡ, ପୁନେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ, ଗୁଜରାଟ ଗାନ୍ଧୀନଗର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡକୁ ଗୋଟିଏ ବର୍ଷ ପାଇଁ ଅନୁମତି ଦିଆଯାଇଛି। ଏହାର ଅର୍ଥ ହେଉଛି ଏହି ବୋର୍ଡଗୁଡ଼ିକରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ‌ରେ ଶିକ୍ଷା ଗ୍ରହଣ ସହ ପରୀକ୍ଷା ଦେଇପାରିବେ।

Related Posts