ତୃତୀୟ ଲହର ଆଶଙ୍କା : ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ ଦିଆଯିବ କୋଭିଡ୍ ଟିକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଉଥିବା ବେଳେ ରାଜ୍ୟ ସରକାର ଏବେ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବର୍ଗର ଲୋକମାନଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନା ମୁତାବକ , ଏନଜିଓ,ସ୍ୱେଚ୍ଛାସେବୀ ଓ ସହୃଦୟ ନାଗରିକମାନଙ୍କ ସହଯୋଗରେ ସମସ୍ତ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କୋଭିଡ୍ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେଣୁ ବିଭିନ୍ନ ଥଇଥାନ କେନ୍ଦ୍ର ସମେତ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କରୋନା ଟିକା ଦେବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଅନୁରୋଧ କରିଛନ୍ତି। ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନେ ମଧ୍ୟ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ଏବେ ଦେଖିବାକୁ ବାକି ରହିଲା ଯେ ରାଜ୍ୟ ସରକାର କେବେସୁଦ୍ଧା ଓ କିଭଳି ଢଙ୍ଗରେ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ ଟିକା ଦେବେ । ତେବେ ଏ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଗାଇଡଲାଇନ୍ ଜାରି କରିନଥିବା ଜଣାପଡ଼ିଛି।

Related Posts