କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର: ଚାଲିଗଲା ୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ :ଉତ୍ତରପ୍ରଦେଶର ହାଥରସରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାଉଡିଆଙ୍କ ଉପରେ ଡମ୍ପର ମାଡ଼ିଯିବାରୁ ଅକାଳରେ ଚାଲିଯାଇଛି ୫ ଜଣଙ୍କ ଜୀବନ ।

ସୂଚନାନୁସାରେ, ହାଥରସ ଥାନା ଦେଇ ଯାଇଥିବା ଆଗ୍ରା ରାସ୍ତାରେ କିଛି କାଉଡିଆ ପାଣି ନେଇ ଯାଉଥିଲେ । ସେମାନେ ନିକଟସ୍ଥ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତେ । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, କାଉଡିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ମଧ୍ୟପ୍ରଦେଶର ଗ୍ୱାଲିଅର ଯାଇଥାନ୍ତେ । କିନ୍ତୁ ବାଟରେ ଏପରି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

ଆଗ୍ରା ଜୋନ୍ ଡିସିପି ରାଜୀବ କୃଷ୍ଣା କହିଛନ୍ତି ଯେ, ଦୁର୍ଘଟଣା ବାବଦରେ ଖବର ମିଳିଲା ପରେ ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଁଚିଥିଲେ । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ଦୁର୍ଘଟଣା ଭିଆଇଥିବା ଟ୍ରକର ସନ୍ଧାନ ଚାଲିଛି । ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ଭୟଂକର ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି ।

Related Posts