ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ଇସିଆଇ; ପୁନଃ ଯାଞ୍ଚ ହେବ ୧୩ଟି ବୁଥର EVM

ଭୁବନେଶ୍ୱର,୨୧/୬(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ୧୩ଟି ବୁଥର ଇଭିଏମ୍ ଚେକିଂ ତଥା ଭେରିଫିକେସନ୍ କରାଯିବ । ଏ ନେଇ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଜୁନ୍ ୪ରେ ପ୍ରକାଶିତ ହୋଇଥିଲା । ବିଭିନ୍ନ କାରଣରୁ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବା କେତେଜଣ ପ୍ରାର୍ଥୀ ଇଭିଏମ୍ ଯାଞ୍ଚ ନେଇ ଆବେଦନ କରିଥିଲେ । ଏହାକୁ ଗ୍ରହଣ କରିଛନ୍ତି ଇସିଆଇ । 

ତଦନୁଯାୟୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟର ସମୁଦାୟ ୮ ଲୋକସଭା କ୍ଷେତ୍ରର ୯୨ଟି ବୁଥ ଏବଂ ୩ଟି ବିଧାନସଭା କ୍ଷେତ୍ର ଅଧୀନ ୨୬ଟି ବୁଥ୍ର ଇଭିଏମ୍/ଭିଭିପାଟ୍ ଯାଞ୍ଚ ହେବ । ଏଥିରେ ଓଡ଼ିଶାର ଏକମାତ୍ର ବିଧାନସଭା କ୍ଷେତ୍ର ଝାରସୁଗୁଡ଼ା ରହିଛି । ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ବିଜେଡିରୁ ପ୍ରାର୍ଥୀ ଦୀପାଳି ଦାସ ଇଭିଏମ୍ ଯାଞ୍ଚ ଲାଗି ଆବେଦନ କରିଥିଲେ । 

ଗତ ଜୁନ୍ ୧ରେ ଇସିଆଇ ଆବେଦନ ପ୍ରଣାଳୀ, ଯାଞ୍ଚ ପ୍ରକ୍ରିୟା, ପ୍ରୋଟୋକଲ ଆଦିକୁ ନେଇ ଏସ୍ଓପି ଜାରି କରିଥିଲେ । ନିର୍ବାଚନ ଫଳାଫଳ ପ୍ରକାଶର ୩୦ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ମାନୁଫାକଚର୍ଙ୍କୁ ଆବେଦନକାରୀଙ୍କ ତାଲିକା ପ୍ରଦାନର ବ୍ୟବସ୍ଥା ରହିଛି । ହେଲେ ରାଜ୍ୟ ନିର୍ବାଚନ କମିଶନ ଏହାର ଯଥେଷ୍ଟ ପୂର୍ବରୁ ମାନୁଫାକଚର୍ଙ୍କୁ ଅବଗତ କରାଇ ସାରିଛନ୍ତି ।

ନିର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ମଧ୍ୟରେ ଅର୍ଥାତ ୧୯ ଜୁଲାଇ ସୁଦ୍ଧା ନିର୍ବାଚନ ପିଟିସନ ଦାୟର କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି । ସିଇଓଙ୍କଠାରୁ ନିର୍ବାଚନ ପିଟିସନ (ଇପି) ଷ୍ଟାଟସ୍ ସଂପର୍କରେ ଜାଣିବା ପରେ ଦୁଇ ସପ୍ତାହ ମଧ୍ୟରେ ମାନୁଫାକଚର୍ ଇଭିଏମ୍ ଚେକିଂ ଏବଂ ଭେରିଫିକେସନ ଲାଗି ସମୟ ନିର୍ଦ୍ଧାରଣ କରିବେ । ଇପି ଷ୍ଟାଟସ୍ ସମ୍ପର୍କରେ ନିଶ୍ଚିତ ହେବା ପରେ ଚାରି ସପ୍ତାହ ମଧ୍ୟରେ ଇଭିଏମ୍ର ଚେକିଂ ଏବଂ ଭେରିଫିକେସନ୍ କରିବେ ବୋଲି ଏଥିରେ ଦର୍ଶାଯାଇଛି ।

Related Posts