
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଉତ୍ତରପ୍ରଦେଶ ମଊରୁ ‘ସୁହେଲ୍ଦେବ ଭାରତୀୟ ସମାଜ ପାର୍ଟି’ର ବିଧାୟକ ତଥା ‘ଗ୍ୟାଙ୍ଗ୍ଷ୍ଟର୍ରୁ ରାଜନେତା’ ହୋଇଥିବା ମୁଖ୍ତାର୍ ଅନ୍ସାରିଙ୍କ ପୁତ୍ର ଅବ୍ବାସ୍ ଅନସାରିଙ୍କୁ ଗିରଫ କରିଥିବା ନେଇ ଆଜି ସୂଚନା ମିଳିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ଇଡିର କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଜେରା କରାଯିବା ପରେ ୩୦ ବର୍ଷିୟ ଅନ୍ସାରିଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି।
ଇଡି ଅଧିକାରୀଙ୍କ ସୂଚନା ଅନୁସାରେ, ତାଙ୍କ ବାପା ଓ ପରିବାର ବିପକ୍ଷରେ ତଦନ୍ତ କରାଯାଉଥିବା ‘ମନି ଲଣ୍ଡରିଂ’ ମାମଲାରେ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ତାର୍ ଅନସାରିଙ୍କର ୧.୪୮ କୋଟି ଟଙ୍କାର ୭ଟି ସ୍ଥାବର ସମ୍ପତ୍ତି ଜବତ କରିଥିଲା। ୫ଥର ବିଧାୟକ ହୋଇଥିବା ମୁଖ୍ତାର୍ ଏବେ ଉତ୍ତର ପ୍ରଦେଶର ବଣ୍ଡାସ୍ଥିତ ଜେଲ୍ରେ ଅଛନ୍ତି। ଉପରୋକ୍ତ ମାମଲାରେ ଗତବର୍ଷ ପ୍ରବର୍ତ୍ତନ ନିର୍ଦେଶାଳୟ ୫୯ ବର୍ଷିୟ ମୁଖ୍ତାରଙ୍କୁ ଜେରା କରିଥିଲା। ଗତ ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କର ବଡ଼ଭାଇ ତଥା ‘ବିଏସ୍ପି’ ସାଂସଦ ଅଫ୍ଜଲ୍ ଅନ୍ସାରିଙ୍କ ଦିଲ୍ଲୀ ବାସଭବନ ଏବଂ ଗାଜିପୁର, ମହମ୍ମଦାବାଦ, ମଊ ଏବଂ ଲକ୍ଷ୍ନୌର କେତେକ ସ୍ଥାନରେ ମଧ୍ୟ ଚଢ଼ଉ କରିଥିଲା।
ଉତ୍ତର ପ୍ରଦେଶ ପୁଲିସ ଏକାଧିକ ‘ଏଫ୍ଆଇଆର୍’ ପଞ୍ଜିକରଣ କରିବା ପରେ ମୁଖ୍ତାର୍ଙ୍କ ନାଁରେ ‘ମନି ଲଣ୍ଡରିଂ’ ମାମଲାର ସୂତ୍ରପାତ ହୋଇଥିଲା। ଏହାଛଡ଼ା, ତାଙ୍କ ସ୍ତ୍ରୀ ଓ ଦୁଇ ଶାଳକ ଏବଂ ଅନ୍ୟମାନେ ଚଳାଉଥିବା ‘ବିକାଶ କନ୍ଷ୍ଟ୍ରକ୍ସନ୍’ ବିରୋଧରେ ମଧ୍ୟ ୨ଟି ‘ଏଫ୍ଆଇଆର୍’ ପଞ୍ଜିକୃତ ହୋଇଥିଲା। ଜମି ଜବରଦଖଲ, ନରହ୍ୟା ଏବଂ ବଟି ଆଦାୟ ସମେତ ଅନ୍ୟୂନ ୪୯ଟି ଅପରାଧିକ ମାମଲା ଥିବା ମୁଖ୍ତାର୍ଙ୍କ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟି ପକାଇଥିଲା।
ଉତ୍ତର ପ୍ରଦେଶରେ ନରହତ୍ୟା ଉଦ୍ୟମ ଓ ନରହତ୍ୟା ସମେତ କେତେଗୁଡ଼ିଏ ମାମଲାରେ ତାଙ୍କ ନାଁରେ ବିଚାର ଚାଲିଥିଲା।