ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହାସହ ସଞ୍ଜୟଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି। ସଞ୍ଜୟ ଙ୍କୁ ପଚାର ଉଚରା ପାଇଁ ଇଡି ପିଏମ୍‌ଏଲ୍‌ଏ କୋର୍ଟରେ ୮ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ମୁମ୍ବାଇରେ ସଞ୍ଜୟ ରାଉତଙ୍କ ବାସଭବନ ଉପରେ ଚଢାଉ କରି ପ୍ରାୟ ନଅ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା ଇଡି।ସୋମବାର ସକାଳେ ଡାକ୍ତରୀ ପରୀକ୍ଷା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଦୀର୍ଘ ସମୟ ଶୁଣାଣି ପରେ କୋର୍ଟ ସଞ୍ଜୟ ରାଉତଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲେ। ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ ଆରମ୍ଭ କରିଥିଲା। ଦୀର୍ଘ ୯ ଘଣ୍ଟା ସଞ୍ଜୟଙ୍କ ଘରେ ଛାନଭିନ କରିବା ପରେ ସଞ୍ଜୟଙ୍କ ଘରୁ ଇଡି ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା।