ଓଡିଶା ଗସ୍ତରେ ଇଡି, ଏସ୍ଆଇଟି ମୁଖ୍ୟ; ଲାଞ୍ଚୁଆ ଅଧିକାରୀ ଓ ନେତାଙ୍କ ମଧ୍ୟରେ ଛନକା

ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ଓଡିଶା ଗସ୍ତରେ ଇଡି ଓ କଳାଧନ ସଂପର୍କିତ ଏସ୍ଆଇଟି ଉପାଧ୍ୟକ୍ଷ | ଏହାକୁ ନେଇ ଲାଞ୍ଚୁଆ ଅଧିକାରୀ ଓ ନେତାଙ୍କ ମଧ୍ୟରେ ଛନକା | ତିନି ଦିନିଆ ଓଡିଶା ଗସ୍ତରେ ଆସି ଭବନେଶ୍ୱରରେ ପହଂଚିଛନ୍ତି କଳାଧନ ସଂପର୍କିତ ଏସ୍ଆଇଟି ଉପାଧ୍ୟକ୍ଷ ଡକ୍ଟର ଅରିଜିତ ପଶାୟତ । ଓଡ଼ିଶାରେ ଧରା ପଡ଼ୁଥିବା ଦୁର୍ନୀତି ମଧ୍ୟ ତଦନ୍ତ ପରିସରକୁ ଆସିଛି ବୋଲି କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାଧନ ସମ୍ପର୍କିତ ୮ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦେଇ ସାରିଛୁ । ନବମ ରିପୋର୍ଟ ୧୫ ଦିନ ଭିତରେ ଦିଆଯିବ। ଓଡ଼ିଶାରେ କିଛି ଦିନ ହେବ ଧରା ପଡୁଥିବା ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କୁ ନଜର ରଖାଯାଇଛି। ଓଡ଼ିଶାରେ ଧରା ପଡ଼ୁଥିବା ଦୁର୍ନୀତି ମଧ୍ୟ ତଦନ୍ତ ପରିସରକୁ ଆସିଛି । କଳା ଧନ ରଖିଥିବା ସରକାରୀ ଅଫିସର ମାନଙ୍କ ଉପରେ ଆଇନ ଅନୁସାରେ ଦଣ୍ଡ ବିଧାନ ହେବ ବୋଲି ସେ କହିଛନ୍ତି ।

ତେବେ ଆଜି ପୁରୀ ଗସ୍ତରେ ଯିବେ ଜଷ୍ଟିସ ପଶାୟତ । ୨୮ ତାରିଖ କଟକରେ ଦିନ ୧୧ଟା ବେଳେ ଏସଆଇଟିର ବୈଠକ ବସିବ । ଏହି ବୈଠକରେ ଯୋଗଦେବେ ଇଡିର ନିର୍ଦ୍ଦେଶକଙ୍କ ସମେତ ବହୁ କେନ୍ଦ୍ରୀୟ ଓ ରାଜ୍ୟ ତଦନ୍ତ ଏଜେନ୍ସିର ଅଧିକାରୀ । ଏପିରିକି ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ମାମଲା ଦାଏର ହୋଇଥିବା ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସୂଚନା ମିଳିଛି ।

ସେପଟେ ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ଆଜି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ। ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ସେ କଟକ ଆସି ଏସଆଇଟି ବୈଠକ ରେ ଯୋଗ ଦେବେ। ଏହା ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି । ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ରାହୁଲ ନବୀନ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି।

Related Posts