ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଆମେ ଭୋଟ ଦେଉଥିବା ରାଜନୈତିକ ଦଳଗୁଡିକୁ କିଏ ଚାନ୍ଦା ଦିଅନ୍ତି ଏବଂ କାହିଁକି, ଏହା ଜାଣିବା ପାଇଁ ସର୍ବଦା ସାଧାରଣ ଲୋକଙ୍କ ମନରେ ଉତ୍କଣ୍ଠା ରହିଥାଏ । ଏନେଇ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ଏକ ରିପୋର୍ଟ ପ୍ରକାଶ କରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ଆଞ୍ଚଳିକ ଦଳ ଗୁଡିକର ପାଣ୍ଠି ଉତ୍ସକୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟରେ ପ୍ରକାଶ ପାଇଥିବା ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ଶାସନରେ ଥିବା ବିଜେଡି ପାଇଥିବା ଆୟର ସିଂହ ଭାଗ ମୁଖ୍ୟତଃ ଅଜଣା ସୂତ୍ରରୁ ଆସିଛି ।

ରିପୋର୍ଟରୁ ଜଣାପଡିଛି ଯେ, ଦେଶର ମୋଟ ୨୭ ଟି ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି । ତେବେ ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ୍ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି । ବାକି ୮୮ ପ୍ରତିଶତ ଆୟ ଅଜଣା ଉତ୍ସରୁ ଆସିଛି । ଅଜଣା ସୂତ୍ରରୁ ଆୟ ପାଇଥିବା ଦଳଗୁଡିକ ମଧ୍ୟରେ ତାମିଲନାଡୁର ଆଞ୍ଚଳିକ ଡିଏମକେ ଶୀର୍ଷରେ ରହିଥିବା ବେଳେ ଓଡ଼ିଶାର ଶାସକ ଦଳ ବିଜେଡି ଦ୍ୱିତୀୟରେ ରହିଛି । ଡିଏମକେ ଅଜଣା ସୂତ୍ରରୁ ୩୦୬ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ପାଇଛି ୨୯୧ କୋଟି ଟଙ୍କା । ତୃତୀୟ ଦଳ ଭାବେ ତେଲେଙ୍ଗାନାର ଆଞ୍ଚଳିକ ଦଳ ଟିଆରଏସ୍ ୧୫୩ କୋଟି ଟଙ୍କା ଅଜଣା ଉତ୍ସରୁ ପାଇଛି ।

ଏଡିଆର ରିପୋର୍ଟରୁ ଜଣାପଡିଛି ଯେ, ବିଜେଡି ୨୦୨୧-୨୨ରେ ମୋଟ ୩୦୭ କୋଟି ଟଙ୍କା ଆୟ କରିଥିଲା । ସେଥିରୁ ୯୪ ଦଶମିକ୍ ୭୩ ପ୍ରତିଶତ ଅର୍ଥାତ୍ ୨୯୧ କୋଟି ଟଙ୍କା ଅଜଣା ସୂତ୍ରରୁ ସଂଗ୍ରହ କରିଛି । ଉକ୍ତ ବର୍ଷ ବିଜେଡି ଜଣାଥିବା ଉତ୍ସରୁ (ନିର୍ବାଚନ କମିସନଙ୍କୁ ଦାନର ବିସ୍ତୃତ ଘୋଷଣା ଦିଆଯାଇଥିବା)ରୁ କିଛି ମିଳି ନାହିଁ। କିନ୍ତୁ ଅନ୍ୟ ଜଣା ଉତ୍ସରୁ ବିଜେଡି ୧୬.୧୯୨ କୋଟି ଟଙ୍କା ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ ୩୧୮.୭୪୫ କୋଟି ଟଙ୍କା ଆୟ କରିଥିବା ଷ୍ଟାଲିନଙ୍କ ଡିଏମକେ ଅଜଣା ଉତ୍ସରୁ ମଧ୍ୟ ସବୁଠୁ ଅଧିକ ୩୦୬.୦୨୫ କୋଟି ବା ୯୬.୦୧ ପ୍ରତିଶତ ଅର୍ଥ ପାଇଛି। ବିଜେଡି ପଛକୁ ଟିଆର୍‌ଏସ୍‌ ୨୦୨୧-୨୨ରେ ୨୧୮.୧୧୨ କୋଟି ଟଙ୍କା ଆୟ କରିଥିବାବେଳେ ଏଥିରୁ ୭୦.୧୬ ପ୍ରତିଶତ ବା ୧୫୩.୦୩୭ କୋଟି ଟଙ୍କା ଅଜଣା ସୂତ୍ରରୁ ଆସିଛି।

ତେବେ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ୨୦ ହଜାର ଟଙ୍କାରୁ କମ୍ ଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା ସଂପର୍କରେ ରାଜନୈତିକ ଦଳଗୁଡ଼ିକୁ ଉତ୍ସ ଜଣାଇବାର ଆବଶ୍ୟକତା ନାହିଁ । ଏହାଫଳରେ ସେମାନଙ୍କ ମୋଟ ଆୟର ମାତ୍ରାଧିକ ରାଶି ସଂପର୍କରେ ସୂଚନା ସଂଗ୍ରହ କରାଯାଇ ପାରୁନାହିଁ । ମୁଖ୍ୟ ନିର୍ବାଚନ କମିସନଙ୍କ ୨୦୧୩ ଜୁନ ମାସର ରାୟ ଅନୁଯାୟୀ, ଜାତୀୟସ୍ତରର ରାଜନୈତିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରାଯାଇଛି । ତେବେ ସେମାନେ ସୂଚନା କମିସନଙ୍କର ସେହି ନିଷ୍ପତ୍ତିକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ରାଜନୈତିକ ଦଳଗୁଡ଼ିକର ଆୟରେ ସ୍ବଚ୍ଛତା ରହୁନାହିଁ । ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରାଗଲେ ଏ କ୍ଷେତ୍ରରେ ସ୍ବଚ୍ଛତା ଆସିବ ବୋଲି ଆଶା କରାଯାଉଛି । ଏଡିଆର ପକ୍ଷରୁ ଆଞ୍ଚଳିକ ଦଳଗୁଡ଼ିକର ଆୟ ସଂପର୍କରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ସେମାନଙ୍କର ଆୟକୁ ମୁଖ୍ୟତଃ ତିନିଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଜଣା ସୂତ୍ର, ଅନ୍ୟ ଜଣା ସୂତ୍ର ଏବଂ ଅଜଣା ସୂତ୍ର ।