ନବୀନଙ୍କ ନିର୍ବାଚନ ମଣ୍ଡଳୀର ଶିକ୍ଷା ଅବସ୍ଥା ଏମିତି…

ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ଯେ ଚୁଲିକୁ ଗଲାଣି ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି । ଏଥର ରାଜ୍ୟର କେଉଁ ଉପାନ୍ତ କି ଆଦିବାସୀ ଅଞ୍ଚଳ ନୁହେଁ । ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାର ଚିତ୍ର ଅତ୍ୟନ୍ତ ଦୟନୀୟ । ଏ ନେଇ ବଢୁଛି ଜନ ଅସନ୍ତୋଷ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍‌ ଅଧୀନ ରାଳବ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ମନମୁଖୀ କାମ ଓ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇଛି ସ୍ଥାନୀୟ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।

୧୯୪୬ ମସିହାରେ ପ୍ରତିଷ୍ଠିତ ସ୍କୁଲରେ ଅଛନ୍ତି ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ ପ୍ରତିଦିନ ୭/୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ରହୁଥିବା ଅଭିଯୋଗ ଶୁଣିବାକୁ ମିଳିବା ପରେ ବୁଧବାର ସ୍କୁଲରେ ପହଞ୍ଚିଥିଲେ ନାଗରିକ ମଞ୍ଚର କର୍ମକର୍ତ୍ତା । ସାଙ୍ଗରେ ସ୍ଥାନୀୟ କେତେଜଣ ସାମ୍ବାଦିକ ବି ଥିଲେ । ସ୍କୁଲ ପରିସରରେ କ୍ୟାମେରା ଦେଖି ପ୍ରଧାନ ଶିକ୍ଷକ ହଡ଼ ବଡ଼ ହୋଇଯାଇଥିଲେ । କେତେଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଅଛନ୍ତି ପଚାରିବାରୁ ତାହାବି ସଠିକ୍‌ ଭାବେ ଗଣନା କରି କହି ପାରୁନଥିଲେ ।

୧୧:୩୦ ସମୟ ବେଳକୁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଉପସ୍ଥିତ ଥିଲେ । କିଛି ଛାତ୍ର ଛାତ୍ରୀ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୧:୪୫ ସମୟରେ ଆସିଥିଲେ କ୍ରୀଡା ଶିକ୍ଷକ । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନା ଖାତାରେ ସ୍ଵାକ୍ଷରକୁ ନେଇ ଅନିୟମିତତା ସମ୍ପର୍କରେ ପଚାରିବାରୁ ପ୍ରଧାନ ଶିକ୍ଷକ ଆମେ ଦେଖାଇ ପରିବୁନାହିଁ କହି BEO ଙ୍କୁ ଫୋନ୍‌ ଲଗାଇଲେ । BEO ମଧ୍ୟ ଘଟଣା ପଦାରେ ପଡ଼ିଯିବା ଘଟଣାକୁ ନେଇ ନ ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ ।

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନା ଖାତାରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ସ୍କୁଲକୁ ଆସୁନାହାନ୍ତି ସେମାନେ ମଝିରେ ମଝିରେ ଆସି ସ୍ଵାକ୍ଷର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । କେତେକ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟକ୍ତିଗତ କାମ ଯୋଗୁଁ ଅଧିକାଂଶ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି, ସ୍ଥାନୀୟ ଶିକ୍ଷାଧିକାରୀ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି ।

ସ୍କୁଲରେ ଅନ୍ୟ ଗୁଡ଼ିଏ ସମସ୍ୟା ମଧ୍ୟ ରହିଛି । ବିଦ୍ୟୁତ୍‌ ସଂଯୋଗ ଥିଲେ ବି କେଉଁଠି ବୋର୍ଡ ଭାଙ୍ଗି ଯାଇଛି ତ କେଉଁଠି ବଲ୍‌ବ ଲଗାଇବା ପାଇଁ ହୋଲ୍ଡର ନାହିଁ । ସ୍କୁଲରେ ଏ ସବୁ ଅବ୍ୟବସ୍ଥା ସମ୍ପର୍କରେ BEO ଓ DEOଙ୍କୁ ଫୋନ୍‌ ମାଧ୍ୟମରେ ପଚାରିବାରୁ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ।

ବ୍ଲକ୍‌ରେ ଶିକ୍ଷା ବ୍ୟବସ୍ଥା ନେଇ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ସମରଜିତ ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସରକାରୀ ଶିକ୍ଷା ବ୍ୟବସ୍ଥା ଏମିତି ଦୟନୀୟ ଅବସ୍ଥାରେ ରହିଛି । ହିଂଜିଳିକାଟୁ ବ୍ଲକ୍‌ର ପୂର୍ବତନ କଂଗ୍ରେସ ସଭାପତି ପଦ୍ମ ଚରଣ ସାହୁ ଅଭିଯୋଗ କରିଛନ୍ତି ଯେ ପ୍ରଶାସନର ଜାଣତରେ ଶିକ୍ଷକ ମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ମନମୁଖୀ କାମ କରିବାକୁ ପ୍ରୋତ୍ସାହନ ଦିଆଯାଉଛି ।

ରିପୋର୍ଟ – ନୃସିଂହ ନାଥ ସ୍ବାଇଁ

Related Posts