ଦୁର୍ଘଟଣାରୁ ବର୍ତ୍ତିଲେ ଇଂଲଣ୍ଡ ରାଣୀ ଏଲିଜାବେଥ୍‌ଙ୍କ ସ୍ୱାମୀ

ଇଂଲଣ୍ଡର ରାଣୀ ଏଲିଜାବେଥ୍‌ଙ୍କ ସ୍ୱାମୀ ଯୁବରାଜ ଫିଲିପ୍‌ ଏକ କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୂର୍ବାଞ୍ଚଳ ଇଂଲଣ୍ଡର ସାଣ୍ଡ୍ରିଙ୍ଗହମ ଇଷ୍ଟେଟ୍‌ ନିକଟରେ ଗୁରୁବାର ଫିଲିପ୍‌ଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ପୋଲିସ୍‌ କହିବା ଅନୁସାରେ ଦୁଇ ଜଣ ବ୍ୟକ୍ତିଙ୍କୁ ନେଇ ଆସୁଥିବା ଅନ୍ୟ ଏକ କାର୍‌ ଫିଲିପ୍‌ଙ୍କ କାର୍‌ ସହ ଧକ୍କା ହୋଇଥିଲା । ଫଳରେ ଫିଲିପ୍‌ଙ୍କର ଲ୍ୟାଣ୍ଡ୍‌ ରୋଭର୍‌ କାର୍‌ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫିଲିପ୍‌ଙ୍କର କୌଣସି କ୍ଷତି ହୋଇନଥିବାବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ ।

ଫିଲିପ୍‌ ଗାଡ଼ି ଚଳାଇ ଡ୍ରାଇଭ୍‌ଓ୍ଵେରୁ ମୁଖ୍ୟ ରାସ୍ତାକୁ ଉଠିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଗୁରୁବାରର ଏହି ଦୁର୍ଘଟଣା କଥା ସତ ଏବଂ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବରୋ ଅର୍ଥାତ୍‌ ପ୍ରିନ୍‌ସ୍‌ ଫିଲିପ୍‌ ଆହତ ହୋଇ ନ ଥିବା କଥା ବକିଙ୍ଗହମ ପ୍ୟାଲେସ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଗାଡ଼ି ଚଳାଉଥିବା ଫିଲିପ୍‌ଙ୍କୁ ମଧ୍ୟ ଡାକ୍ତର ପରୀକ୍ଷା କରିଥିଲେ । ଏବେ ଫିଲିପ୍‌ କାଉଣ୍ଟି ଅଫ୍‌ ନର୍‌ଫୋକ୍‌ରେ ରାଣୀ ଏଲିଜାବେଥ୍‌ଙ୍କ ମାଲିକାନାରେ ଥିବା ଗ୍ରାମୀଣ ବାସଭବନ ସାଣ୍ଡ୍ରିଙ୍ଗ୍‌ହାମ୍‌ରେ ରହୁଛନ୍ତି ।

Related Posts