ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିସ୍ତୁକ ପିଟିବା ଅଭିଯୋଗରେ ଗିରଫ ହେଲେ ୯ ଅଭିଯୁକ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିସ୍ତୁକ ପିଟିବା ଅଭିଯୋଗରେ ଗିରଫ ହେଲେ ୯ ଅଭିଯୁକ୍ତ । ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ବ୍ଲକ ପରିସ୍ତରରେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓଙ୍କ ନେତୃତ୍ବରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ପୁଲିସ ନିଳାଦ୍ରୀପ୍ରସାଦ ବାଙ୍କଡାଘର ନିକଟ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ କେଉଁ ଅଭିଯୁକ୍ତମାନେ ମାଡ଼ ମାରିଥିଲେ, ପୁଲିସ ସେ ନେଇ ତଦନ୍ତ କରୁଛି।

ସେପଟେ ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ୟ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ। ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ। ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଜନତା ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସର୍ବସାଧାରଣଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ। ତାଙ୍କୁ ମଧ୍ୟ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts