ଏକ୍ ଯୋଦ୍ଧାକୀ ମୌତ୍‌

ସରକାର ଏହି କରୋନା ମହାମାରୀ ସମୟରେ ଦିନରାତି ପରିଶ୍ରମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଡ଼ାକ୍ତର ମାନଙ୍କୁ ଆଗଧାଡ଼ିର ଯୋଦ୍ଧା କହୁଥିବା ବେଳେ, ଜଣେ ଡ଼ାକ୍ତରଙ୍କର କିପରି କଦର୍ଯ୍ୟ ଭାବରେ ମୃତ୍ୟୁ ଘଟିପାରେ ତାହା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଏ ସମ୍ପର୍କରେ ମୃତ ଡାକ୍ତରଙ୍କ ସଂପର୍କୀୟ ଭଣଜା ଡ଼ାକ୍ତର ଅନୁପମ ମହାପାତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

“ତାଙ୍କ କହିବା କଥା ହେଲା ,କଳାହାଣ୍ଡି ଭବାନୀପାଟଣା ସ୍ଥିତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ ଜେନେରାଲ ଫିଜସିଆନ ଡ଼ାକ୍ତର ନିହାର ରଞ୍ଜନ ପରିଡ଼ା । ସେ କରୋନାରେ ସଂକ୍ରମିତ ହେବାରୁ ତାଙ୍କୁ ଅଗଷ୍ଟ ୧୫ତାରିଖ ଦିନ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସୁସ୍ଥ ହୋଇ ୨୪ ତାରିଖ, ସୋମବାର ଦିନ ନିହାର ଘରକୁ ଫେରିଥିଲେ , କିନ୍ତୁ ଠିକ ଦିନକପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ମଙ୍ଗଳବାର ସେ ଗୁରୁତର ହେବାରୁ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା ।ଏହାପରେ ତାଙ୍କୁ ବାଲେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା ହେଲେ ସେଠାରେ ସେମାନେ ତାଙ୍କୁ ଗ୍ରହଣ କରିନଥିଲେ ବରଂ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରି ଦେଇଥିଲେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ନିହାର ସ୍ୱାଭାବିକ ଭାବରେ କଥାବାର୍ତା କରିବା ସହ ଠିକରେ ମଧ୍ୟ ନିଶ୍ୱାସ ନେଇ ପାରୁଥିଲେ । କିନ୍ତୁ ବିଡମ୍ବନାର ବିଷୟ ତହିଁ ପରଦିନ ସକାଳେ ଡ଼ାକ୍ତରଖାନା କର୍ତ୍ତୁପକ୍ଷ ଘର ଳୋକଙ୍କୁ ଖବର ଦେଇଥିଲେ ଯେ ନିହାରଙ୍କର ସକାଳ ୫.୩୦ ରେ ମୃତ୍ୟୁ ହୋଇଯାଇଛି ।

ଡାକ୍ତର ନିହାରଙ୍କ ଭଣଜାଙ୍କ ଅଭିଯୋଗ ହେଲା ଚିକିତ୍ସାଜନିତ ଅବହେଳା ଯୋଗୁ ନିହାରଙ୍କ ମୃତ୍ୟୁ ହୋଇଛି । ଡ଼ାକ୍ତରମାନେ ଠିକ୍ ସମୟରେ ଚିକିତ୍ସା କରିନାହାନ୍ତି ଏପରିକି ସେ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ବେଳେ ତାଙ୍କୁ ଯୋଗାଇ ଦିଆଯାଇ ନାହିଁ । ସେ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁଛନ୍ତି କି ନାହିଁ ତାହା ମଧ୍ୟ କେହି ଅନୁଧ୍ୟାନ କରିନାହାନ୍ତି । ଏପରିକି ତାଙ୍କୁ ସାମାନ୍ୟ ବେଡ଼ସିଟ୍ ଟିଏ ମଧ୍ୟ ଦିଆଯାଇ ନାହିଁ । ପରିବାର ଲୋକ ପହଂଚିବା ବେଳକୁ ନିହାରଙ୍କ ମର ଶରୀର ସମ୍ପୂର୍ଣ୍ଣ ଖୋଲା ଗୋଟିଏ କଡରେ ପଡି ରହିଥିଲା । ଅନ୍ତତଃପକ୍ଷେ ମାନବିକତା ଦୃଷ୍ଟିକୋଣରୁ ମର ଶରୀରକୁ ଘୋଡାଇବା ବଦଳରେ ଗୋଟିଏ ପଶୁର ଶବ ପରି ଗୋଟେ କୋଣରେ ଫୋପାଡ଼ି ଦେଇଥିଲେ ।

ପରିତାପର ବିଷୟ ୩୦ବର୍ଷ ଧରି ଜଣେ ଡ଼ାକ୍ତର ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରିବା ସତ୍ତ୍ୱେ ତାଙ୍କୁ ଏଭଳି ବ୍ୟବହାର ପରିବାର ଲୋକଙ୍କୁ ଗଭୀର ଦୁଃଖ ଦେଇଛି । ମୃତ୍ୟୁ କାହାରି ହାତରେ ନାହିଁ ସତ ହେଲେ ମୌଳିକ ଚିକିତ୍ସା ଅଭାବରୁ ଜଣେ ଡାକ୍ତରଙ୍କ ଏଭଳି ଦୟନୀୟ ମୃତ୍ୟୁ ହେବା ଘଟଣାକୁ ପରିବାର ଲୋକ ସହଜରେ ନେଇ ପାରୁନାହାନ୍ତି ।

ବଂଚିଥିବା ବେଳେ ସର୍ବନିମ୍ନ ସୌଜନ୍ୟତା ଦେଖାଇନଥିବା ଡାକ୍ତରଖାନା କତୃପକ୍ଷ ମୃତ୍ୟୁପରେ ଶବକୁ ଗାର୍ଡ଼ ଅଫ ଅନର ଦେବା ଘଟନାକୁ ନେଇ ନିହାରଙ୍କ ସମ୍ପର୍କିୟ ଭଣଜା ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ଜଣେ ଡାକ୍ତରଙ୍କ ପ୍ରତି ଏଭଳି ବ୍ୟବହାର ଦେଖିବାକୁ ମିଳୁଛି ସେପରିସ୍ଥଳେ ସାଧାରଣ ଲୋକଙ୍କ କଥା ପଚାରେ କିଏ? କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ କେତେକଣ କାର୍ଯ୍ୟକ୍ରମ ସରକାର ହାତକୁ ନେଉଛନ୍ତି ଅଥଚ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ତାହା ଏହି ଘଟଣାରୁ ଜଣାପଡିଛି । ଜଣେ ଡାକ୍ତରଙ୍କୁ ମୌଳିକ ଚିକିତ୍ସା ଯୋଗାଇ ପାରୁନଥିବା ରାଜ୍ୟ ସରକାର କରୋନା ମୁକାବିଲା ସଫଳତାର ସହ କରୁଛନ୍ତି ବୋଲି ଡିଣ୍ଡିମ ପିଟି ଚାଲିଛନ୍ତି । ମୋ ମାମୁ ଆଉ ଆସିବେ ନାହିଁ ସତ କିନ୍ତୁ ଏହାକୁ ନେଇ ଆଗକୁ ରାଜ୍ୟ ସରକାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ ବୋଲି ତାଙ୍କ ସମ୍ପର୍କିୟ ଭଣଜା କୋହଭରା ସ୍ୱରରେ କହିଛନ୍ତି । ଚିକିତ୍ସାରେ ଅବହେଲା ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

 

Related Posts