ମୁମ୍ବାଇ: ମହାରାଷ୍ଟ୍ର ମହାସଙ୍କଟରେ ଯବନିକା ପଡିଛି । ମହାରାଷ୍ଟ୍ର କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । କିଛି ଦିନ ହେବ ବିଦ୍ରୋହ କରିବା ପରେ ଗତକାଲି ଶିବସେନା ନେତା ଏକ ନାଥ ସିନ୍ଦେ ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ସମର୍ଥନରେ ଏକନାଥ ସିନ୍ଦେ ସରକକାର ଗଠନ କରିବା ସହ ମହାରାଷ୍ଟ୍ରରେ ୯ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମାର ଯବନିକା ଘଟିଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସିନ୍ଦେ ନିଜକୁ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ରାଜନୈତିକ ଦାୟାଦ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ଆଜି ସକାଳେ ବାଲ ଠାକରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ଟ୍ୱିଟ୍‌ କରିଛନ୍ତି ।

କାରଣ ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ଲିଗାସିକୁ ନେଇ ଶିବସେନାରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଥିଲା। ଏପରିକି ବିଦ୍ରୋହୀ ବିଧାୟକମାନେ ରାଜନୈତିକ ଫାଇଦା ପାଇଁ କାଳେ ବାଲଠାକରେଙ୍କ ଲିଗାସିକୁ ଅପହରଣ କରିନେବେ ସେଇ ନେଇ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚିନ୍ତିତ ଥିଲେ। ତେଣୁ କିଛି ଦିନ ତଳେ ବାଲାସାହେବଙ୍କ ନାମକୁ କେହି ରାଜନୈତିକ ଦଳ ଗଠନ ଉଦ୍ଦେଶ୍ୟରେ ବ୍ୟବହାର ନକରିବାକୁ ଶିବସେନାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

କିନ୍ତୁ ବିଦ୍ରୋହୀମାନଙ୍କର ନେତୃତ୍ୱ ନେଉଥିବା ସିନ୍ଦେ ନିଜକୁ ବାଲ ଠାକରେଙ୍କ ପ୍ରକୃତ ଅନୁଗାମୀ ଏବଂ ତାଙ୍କ ରାଜନୈତିକ ଆଦର୍ଶରେ ସେ ପରିଚାଳିତ ବୋଲି ଦର୍ଶାଇ ଆସୁଥିଲେ। ସିନ୍ଦେ ମଧ୍ୟ ତାଙ୍କ ଟ୍ୱିଟର ଫଟୋ ପରିବର୍ତ୍ତନ କରି ବାଲ ଠାକରେଙ୍କ ଫଟୋ ଯୋଡ଼ି ପ୍ରକୃତ ହିନ୍ଦୁତ୍ୱର ପରିଚୟ ଦେବାକୁ ଚାହିଁଛନ୍ତି । ଗତକାଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିଲେ ।

ସିନ୍ଦେଙ୍କ ସହିତ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍‌ୟାରୀ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।