ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡି ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଟାକ୍ଷ କରିଛନ୍ତି। ସଞ୍ଜୟଙ୍କୁ ଶିନ୍ଦେ ପେଁକାଳି ସହ ତୁଳନା କରିଛନ୍ତି। ଶିନ୍ଦେ ସଞ୍ଜୟ ଙ୍କୁ କଟାକ୍ଷ କରି କହିଛନ୍ତି ଯେ ସବୁଦିନ ସକାଳ ୮ରେ ବାଜୁଥିବା ପେଁକାଳି ଏବେ ବନ୍ଦ ହୋଇ ଯାଇଛି।ଏହାପୂର୍ବରୁ ରବିବାର ଶିନ୍ଦେ ସଞ୍ଜୟ ରାଉତଙ୍କ ବିଷୟରେ କହିଥିଲେ ଯେ ଯଦି ସେ କିଛି ଭୁଲ କରିନାହାଁନ୍ତି ତେବେ ତାଙ୍କୁ ଭୟ କରିବା ଉଚିତ ନୁହେଁ।ଯିଏ ଯେମିତି କାମ କରିବ ତାକୁ ସେପରି ଫଳ ଭୋଗିବାକୁ ହେବ ବୋଲି ଶିନ୍ଦେ କହିଥିଲେ।
ସେପଟେ ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ବିରୋଧରେ ଦୀର୍ଘ ଦିନ ଧରି ଯାଞ୍ଚ୍ ଚାଲିଥିଲା। ବର୍ତ୍ତମାନ କିଛି ପ୍ରମାଣ ପାଇବା ପରେ ଇଡି ତାଙ୍କୁ ଗିରଫ କରିଛି। ଇଡ଼ି ବିନା ପ୍ରମାଣରେ କାହାକୁ ଗିରଫ କରି ନଥାଏ ବୋଲି ଅଜୟ କହିଛନ୍ତି।ସଞ୍ଜୟଙ୍କ ଗିରଫଦାରୀକୁ ନେଇ ସଂସଦରେ ବିରୋଧୀ ଦଳଙ୍କ ପକ୍ଷରୁ ହଙ୍ଗାମା ଜାରି ରହିଛି। ରାଜ୍ୟ ସଭା ଏବଂ ଲୋକ ସଭାର କାର୍ଯ୍ୟକୁ ପ୍ରବଳ ହଟ୍ଟଗୋଳ ଯୋଗୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ତେବେ ଶିବସେନାର ସଦସ୍ୟମାନେ ସଂସଦ ପରିସରରେ ମଧ୍ୟ ଗିରଫଦାରୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
